ପ୍ରେମ ପରଶ
ପ୍ରେମ ପରଶ
ତନୁ ମନେ ଲାଗିଲେ ପ୍ରେମ ପରଶ
ରଙ୍ଗରଙ୍ଗରେ ଭରିଯାଏ ସପନ ଆକାଶ,
ଫଗୁଣ ମଳୟ ବିଞ୍ଚି ମଧୁ ସୁବାସ
ଯଉବନ ଫୁଲେ ଖେଳାଏ ହସ।
ଆଶା ଆଶାରେ ଜାଗେ ଆକାଂକ୍ଷା
ଭାବ ଭାଷାରେ କାମନାର ପ୍ରତୀକ୍ଷା,
ଈଚ୍ଛା ହୁଏ ନିଜ ପସନ୍ଦର ସାଥୀଟିକୁ
ଏକାନ୍ତରେ କରିବାକୁ ଦେଖା।
ଖୋଲା ଖୋଲି କହିବାକୁ କେତେ କଥା
ଏକା ଏକା ଲାଗେ ବିରହର ନିଷ୍ଠୁର ବ୍ୟଥା,
ଭଲ ପାଇବାର କେତେ ଗାଥା
ଯୁଗଳ ମିଳନର ଶୃଙ୍ଖଳିତ ଆଦିମ ପ୍ରଥା।
ତନୁ ମନେ ଲାଗିଲେ ପ୍ରେମ ପରଶ
ଆସେ ଅତୁଟ ଭରସା ବିଶ୍ଵାସ,
ମନ ପ୍ରାଣ ଆତ୍ମା ହୋଇ ଏକଠାରେ ବଶ
ଜୀବନେ ଜୀବନର ହୁଏ ପ୍ରକାଶ।
ମନ ମୃତ୍ତିକାରେ ଅଙ୍କୁରି ଉଠି
ଭାବନାର ଅନାବନା ଦିଶେ ସବୁଜମୟ,
ଦେଖି ଆଖିରେ ଆଖିଏ ମନୋହର ଦୃଶ୍ୟ
ପୁଲକେ ପୁଲକି ଉଠେ କୋମଳ ହୃଦୟ।
ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର
ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର,
ଅଜଣା ଅଚିହ୍ନାକୁ କରି ଆପଣାଠୁ ନିଜର
ଅଜାଡି ଦେବାକୁ ଚାହେଁ ଅନନ୍ୟ ଉପହାର।
ତନୁ ମନେ ଲାଗିଲେ ପ୍ରେମ ପରଶ
ଚକିତ କରେ ସଂସାରର ଅପରୂପ ବେଶ,
କଣ୍ଠରୁ ଝରି ଆସେ ସୁମଧୁର ଶବ୍ଦକୋଷ
ପୂର୍ଣ୍ଣହୁଏ ମନୋରଥ ଭାବ ଆସେ ଅଶେଷ।
ଅଧୁରା ଜୀବନେ ଭରିଯାଏ ସମ୍ଭାବନା
ସାର୍ଥକତା ପାଇବାକୁ କରେ ଉପାସନା,
ଏକ ନିରବିଚ୍ଛିନ୍ନ ସାଧନାରେ ହୋଇ ଦୃଢମନା
ଜୀବନ ଯଜ୍ଞର କରେ ପୂଜା ଅର୍ଚ୍ଚନା।
ପ୍ରେମ ଚିରନ୍ତନ ସତ୍ୟର ପରିପ୍ରକାଶ
ଶିବ ସୁନ୍ଦର ମହିମାମୟ ଭରିଦିଏ ସନ୍ତୋଷ,
ମିଥ୍ୟା ମାୟା ଅହଂକାରକୁ କରେ ବିନାଶ
ତନୁ ମନେ ଲାଗିଲେ ପ୍ରେମ ପରଶ।

