ପ୍ରେମ କେବେ ମରେ ନାହିଁ
ପ୍ରେମ କେବେ ମରେ ନାହିଁ
ପ୍ରେମ ତ ଶାଶ୍ବତ ପ୍ରେମ ତ ପବିତ୍ର
ପ୍ରେମ କେବେ ମରେ ନାହିଁ
ଥିଲା ତ ଅତୀତ ଅଛି ବର୍ତ୍ତମାନ
ଭବିଷ୍ୟତେ ଥିବ ରହି ।
ଚିର ଦିନ ଇଏ ରହିଛି ରହିବ
ଅଭୁଲା ସ୍ମୃତିଟି ହେଇ
ସବୁ ହୃଦୟରୁ ଝରୁଥାଏ ପ୍ରେମ
ମନକୁ ଯାଏ ସେ ଛୁଇଁ ।
ଅଢେଇ ଅକ୍ଷର ଅଟେ ଏଇ ପ୍ରେମ
ସଭିଁଙ୍କ ଜୀବନ ସେହି
ସ୍ନେହ ପ୍ରେମ ପ୍ରୀତି ଝରୁ ଥାଏ ନିତି
ଦୁଃଖ ଭୁଲାଏଟି ତହିଁ ।
ପ୍ରେମ ପାଖେ କେତେ ଜୀବନ ଯନ୍ତ୍ରଣା
ବଳି ପଡିଥାଏ ତହିଁ
ଚିର ସହଚର ପ୍ରେମ ହେଇଥାଏ
ମନ ନିଅ ସିଏ ମୋହି ।
କେଦାର ଗୌରୀର ପ୍ରେମର କାହାଣୀ
ସ୍ମୃତି ହେଇଅଛି ରହି
ଏଇ ପ୍ରେମ ପାଇଁ ଜୀବନ ସେ ଦେଲେ
ଇତିହାସ ଦିଏ କହି ।
ଏବେବି ଆଗ୍ରାର ତାଜମହଲଟି
ପ୍ରେମର ପ୍ରତୀକ ସେହି
ମମତାଜ ପାଇଁ ଶାହାଜାହାନଙ୍କ
ଅଭୁଲା କୀର୍ତ୍ତିଟି ଏହି ।
ଭକ୍ତ ଭଗବାନ ପ୍ରେମର ମହତ୍ତ୍ଵ
ଜାଣିଥାନ୍ତି ଏକା ସେହି
ମାଆର ମମତା ଭଲ ପାଇବାଟା
ପ୍ରେମରେ ଥାଏଟି ରହି ।
ମୀରା ରାଧା କୃଷ୍ଣ ପ୍ରେମ ତ ପବିତ୍ର
ଗାଉଅଛି ଏଇ ମହୀ
ପ୍ରେମ ବିନା ଜୀବନର ମାନେ ଏଠି
ବଞ୍ଚିବାର କିଛି ନାହିଁ ।
ଶରୀର ରହଇ ଆତ୍ମାଟି ଯାଅଇ
ପ୍ରେମଟି ଅମର ରହି
ମଶାଣୀ ଭୂଇଁରେ ପାଉଁଶ ହେଲେ ବି
ଥାଏ ପ୍ରେମ କଥା କହି ।
ଏଇ ପ୍ରେମ ପାଇଁ ଦୁଇଗୋଟି ମନ
ଗୋଟେ ବନ୍ଧନରେ ରହି
ଆତ୍ମାର ମିଳନ କରେ ଏଇ ପ୍ରେମ
ଛାଡି କେବେ ପାରେ ନାହିଁ ।
ଦୁନିଆରୁ ଚାଲି ଗଲେ ବି ତ ପ୍ରେମ
ଚିର ଉଜ୍ଜୀବିତ ରହି
ଶରୀରଟି ମରେ ଆତ୍ମା ତ ମରେନି
ପ୍ରେମ କେବେ ମରେ ନାହିଁ ।।
