ପ୍ରେମ ଏକ ଶରତ ସନ୍ଧ୍ୟାରେ
ପ୍ରେମ ଏକ ଶରତ ସନ୍ଧ୍ୟାରେ
ଗୋଧୂଳି ଲଗନ ଗଡିଗଡି ଯାଏ
ଗିରିଚୂଳେ ସୂର୍ଯ୍ୟ ହସେ,
ବିଦାୟ ବେଳାର ଅନ୍ତିମ ଚାହାଁଣି
ଲୋହିତ ଆଭାରେ ଭାସେ |
କିରଣେ ତାହାର ପ୍ରୀତିଭରା ମଧୁ
ସତେ କି ଆସଇ ଝରି,
ଭିଜାଇ ଦେଉଛି ତନୁମନ ମୋର
ପ୍ରୀତିର କାମନା ଭରି |
ଆସ ପ୍ରିୟତମା ହେଉ ମଧୁସନ୍ଧ୍ୟା
ତୁମରି ପରଶ ପାଇ,
ବିରହୀ ହୃଦୟ ପୂର୍ଣ୍ଣ କର ଗୋ
ଆଶ୍ଳେଷେ ଧରା ଦେଇ |
ନଈ ପଠାପରେ କାଶତଣ୍ଡୀ ଝୁଲେ
ଶରତର ସମୀରଣେ
ସତେକି ଝୁମୁଚି ଆମକୁ ଦେଖି ସେ
ଝୀନ ଲଜ୍ଜା ଆବରଣେ |
ନଦୀର ଧାରଟା ବହିତ ଚାଲିଛି
ସନ୍ଧ୍ୟା ଆସିଲାଣି ନଇଁ,
ବୁଲୁଥିଲେ ଆମେ ବୁଲୁଥିବା ପରା
ଜହ୍ନ ଆସିଲାଣି ଉଇଁ |
ଗାଇଯିବ
ା ଆମେ ମିଳନ ଗୀତିକା
ମଧୁଭରା ସାତସୁରେ
ତୁମେ ନୁହଁ କଇଁ ମୁଁ ନୁହେଁ ବି ଜହ୍ନ
ନୁହେଁ ଆମେ ଦୂରେ ଦୂରେ |
ତୁମେ ଗାଉଥିବ ମୁଁ ଯେ ଶୁଣୁଥିବି
ଆଖିପତା ଯିବ ନଇଁ,
ମୁଁ ଯେବେ ଗାଇବି ତୁମେ ନାଚୁଥିବ
ସ୍ବପ୍ନଭରା ଆଖିନେଇ |
ଧୀର ପବନରେ ଧିରେ ଉଡ଼ିଯାଏ
କୁନ୍ତଳ ଯେ ଆନମନା,
ଯେତେ ସଜାଡ଼ିଲେ ସଜାଡି ହୁଏନା
ତୁମ ଶୋଭା ପ୍ରୀତି ପୂର୍ଣ୍ଣା |
ଆଜିର ଏ ସନ୍ଧ୍ୟା ହେବ ଅପାଶୋରା
ସ୍ମୃତି ଏକ ଜୀବନର
ନଇଁ ପଡିବାନି କେବେବି ଜୀବନେ
ଏଇ ଆଶା ମନେ ଭର |
ଆମ ପ୍ରୀତି ଏଇ ଶରତ ସନ୍ଧ୍ୟାରେ
ସାକ୍ଷୀ ରହୁ ସନ୍ଧ୍ୟାତାରା,
ଜହ୍ନର ଜୋଛନା ଭରିଦେଉ ରଙ୍ଗ
ପ୍ରୀତି ହେଉ ଅପାସୋରା |