ବସନ୍ତ ଉତ୍ସବ
ବସନ୍ତ ଉତ୍ସବ


ବଧୁଲି ବେଶରେ ସାଜିଛି ପ୍ରକୃତି
ଅତିଥି ମଧୁ ବସନ୍ତ
ବଧାଇ କରୁଛି ବଦ୍ଧାଞ୍ଜଳି ବାଢ଼ି
ଜଗ ହେଉ ସ୍ନିଗ୍ଧ ଶାନ୍ତ ।
ରମ୍ୟ ଋତୁରାଜ ଜୀବ ପ୍ରାଣ ସ୍ରଷ୍ଟା
ମୁହୁର୍ମୁହୁଃ ମଧୁ ବାସ
ପ୍ରୀତି ପ୍ରଦାୟକ ପ୍ରସନ୍ନ ବାହକ
ପ୍ରଭାସ ତାହାର ଦାସ ।
ସ୍ନେହର ନିର୍ଝର ସତେ ଧରାଧର
ବର୍ଷଣ ଯେ ଅବିରାମ
ରଙ୍ଗର ଫୁଆର ମତୁଆଲା ପରି
ହୋଇଛି ସୌହାର୍ଦ୍ଦ୍ୟପୂର୍ଣ୍ଣ ।
ନବ ବିକଶିତ ପର୍ଣ୍ଣ ପଲ୍ଲବିତ
ଅତି ମନୋରମ ଦିଶେ
ନିମ୍ନ ଗଗରରେ ଶୁଭ୍ର ରେଖା ରୂପେ
ବିହଙ୍ଗର ପଂକ୍ତି ଭାସେ ।
ଯାମିନୀ ରାଜତ୍ୱ ମଉଳି ଯାଇଛି
ଚାନ୍ଦିନୀ ମେଲିଛି ଡେଣା
ମନୀଷା ପୁରଣେ ଜହ୍ନକୁ କରିଛି
ପ୍ରୀତି ପିଆଲିରେ ପଣା ।
ମନ କୁଲାୟରେ ଖିଆଲି ବିହଙ୍ଗ
ଆନନ୍ଦେ କରିଛି ବସା
ମୃଦୁ ମଳୟର ଭେରୀ ତାନ ଶୁଣି
ଫଗୁରେ ଜଡ଼ିତ ନିଶା ।
ଆଦ୍ୟରୁ ପ୍ରାନ୍ତ ଯେ ବସନ୍ତ ଉତ୍ସବ
ଅନୁଭୂତେ କରେ ପ୍ରୀତ
ବିବିଧ ରଙ୍ଗରେ ଅଳଂକୃତ ହୋଇ
ସଂସାରରେ ବିଭାସିତ ।