ପରଚେ ହୋଇ ପାରିଲେ
ପରଚେ ହୋଇ ପାରିଲେ
ସନ୍ଥକବି ଭୀମ ଭୋଇ
ପରଚେ ହୋଇ ପାରିଲେ ଅଣ ଆକାରେ
ନିଶ୍ଚୟେ ଭେଟ ହୋଇବ ଅମନପୁରେ ।ଘୋଷା ।
ହାଇ ଛାଇ ସମସ୍ତଙ୍କୁ କ୍ଷୁଧା ତୃଷ୍ଣା ଆୟତକୁ
ଆଶା ଭରସା ସବୁଙ୍କୁ ଫିଙ୍ଗିଲେ ଦୂରେ ।
ଅବାଇ ମଣ୍ଡଳେ ବାଇ ନେଇ ପାରିଲେ ପୂରାଇ
ତେବେ ସେ ପ୍ରବେଶ ହେବ ସ୍ୱାମୀ ଛାମୁରେ ।।
ପିଣ୍ଡ ପ୍ରାଣ ତେଜ୍ୟା କରି ଜନ୍ମ ମୃତ୍ୟୁକୁ ନ ଡରି
କାଳ ବିକାଳକୁ ନିବାରିଲେ ନିଷ୍ଠାରେ ।
ବ୍ରହ୍ମ ଅନଳ ଦିହୁଡ଼ି ଜାଳି ଫିଟାଅ କୁହୁଡ଼ି
ଅର୍ଗଳି କବାଟ ଫିଟିଯିବ ସଧିରେ ।।
ଅବନ୍ଧା ବନ୍ଧରେ ପାଣି ବଳାଅ ଲହଡ଼ି ଟାଣି
ଅରୂପାନନ୍ଦ ସ୍ୱାମୀଙ୍କ ଚରଣ ତଳେ ।
ଚିରକାଳ ଥିବ ରହି ବ୍ରହ୍ମ ଅଙ୍ଗ ତେଜ ବହି
ଉଲଟ ଉଜାଣି ନଦୀ ସମ୍ପୂର୍ଣ୍ଣ ଭରେ ।।
ଅମାପ ମାପିଲେ ଯାଇ ଅଖାଦ୍ୟ ପାରିଲେ ଖାଇ
ସାଧୁ ସଙ୍ଗ କଲେ ପୂର୍ବ ପାତକ ହରେ ।
ଅକଳ୍ପଣା ବ୍ରହ୍ମେ ଧ୍ୟାନ ଲୟ କର ରାତ୍ର ଦିନ
ବଦଳିଲେ ପିଣ୍ଡ ନୂଆ ନବୀନ ଧରେ ।।
ଅଦେଖା ଦେଖିଲେ ସାର ଅଜପା ଜପିଲେ ପାର
ଅଚିହ୍ନାକୁ ଚିହ୍ନି ଭଜ ଅଣ ରୂପରେ ।
ତରିବାକୁ ଥିଲେ ଆସ ନିର୍ବେଦ ଧର୍ମରେ ପଶ
ସଦଜ୍ଞାନ ମୁକ୍ତିପଦ ଗୁରୁ ଦୁଆରେ ।।
ଅଲେଖ ପୁର ଭୁବନ ନାହିଁ ତହିଁ ବଡ଼ ସାନ
ସମାନରେ ଦୟା ଦୃଷ୍ଟି ସର୍ବ ଜୀବରେ ।
ବୋଲେ ଭୀମ ହୀନ ଦାସ ଅବନା ମଣ୍ଡଳେ ପଶ
ନିଶୁଣି ଲଗାଇ ଉଠ ଶୂନ୍ୟ ଶିଖରେ ।।
ସମାପ୍ତ
