STORYMIRROR

Binay Mohapatra

Abstract Inspirational

3  

Binay Mohapatra

Abstract Inspirational

ପ୍ରଭୁସତ୍ତା

ପ୍ରଭୁସତ୍ତା

1 min
13.5K


ସବୁକିଛି ଦୃଶ୍ୟମାନ ଏଠି
କିନ୍ତୁ ତୁମେ ତ କେବେ ବି ଦିଶନି,
ସବୁକିଛି ଏଠି ମୋର ସ୍ପର୍ଶର ପରିସରଭୁକ୍ତ,
ହେଲେ ତୁମେ କେବେ ହାତ ଛୁଆଁ ହୁଅନି,
ସବୁକିଛି ବୁଝି ହୁଏ ବିଜ୍ଞାନର
ଜଟିଳ ଫର୍ମୁଲାରେ, ହେଲେ
ତୁମକୁ ବୁଝିବାର କିଛି ଫର୍ମୁଲା ମିଳେନାହିଁ
ଏବଂ ତର୍କର ପରିସରେ ତୁମେ କେବେ
ଧରାଛୁଆଁ ବି ଦିଅନା,
ଏତେ ସବୁ ବ୍ୟତିକ୍ରମ ପରେବି,
ତୁମରି ସତ୍ତାକୁ ନା କରିବାର ସାହସ,
ମୁଁ କେବେ ବି ଜୁଟାଇ ପାରେନି ।

କାରଣ,
ତୁମକୁ ଏଇ ଫୁଲରେ, ଏ ସୂର୍ଯ୍ୟରେ,
ଚନ୍ଦ୍ରରେ, ନୀଳ ଗଗନର ବିଶାଳ ବକ୍ଷରେ,
ତୁମକୁ ଦେଖିବାର ମିଛ ବାହାନା ଖୋଜେ,
ଏଇ ପବନରେ, ଫୁଲର ମହକରେ,
ତୁମର ସ୍ପର୍ଶର ଅନୁଭବ ହେବାର ନାଟକ କରେ,
ତୁମ ପ୍ରଭୁସତ୍ତାକୁ ସ୍ୱୀକର କରିବାର,
ଢୋଙ୍ଗ ସବୁ ଦିନ ଦେଖାଏ,
ଏବଂ ଚିତ୍କାର କରି ଘୋଷଣା କରେ,
ମୋ ପ୍ରଭୁ ସବୁଠି ଅଛନ୍ତି,
ପ୍ରତି ହୃଦୟରେ, ପ୍ରତିଟି ଜୀବରେ
ପ୍ରତିଟି ଜଡରେ, ପ୍ରତିଟି ସ୍ଥାଣୁରେ,
ସେ ସବୁଠାରେ ଥାଏ, ସବୁ ଦେଖୁ ଥାଏ ।

କିନ୍ତୁ,
ଏ କେବଳ ମିଥ୍ୟା ପ୍ରବଞ୍ଚନା ମୋର
ଅନ୍ୟକୁ ଶୁଣାଇବା ପାଇଁ,
ଚମତ୍କାର ଉପାଖ୍ୟାନଟିଏ ରଚି ଯାଏ,
କହି ଦିଏ, ସବୁ କେବଳ ଦେଖେଇ ହେବାକୁ ।


ପ୍ରତିଟି ଦିନଚର୍ଯ୍ୟାରେ ଭୁଲିଯାଏ ପ୍ରଭୁସତ୍ତା,
ଅସ୍ୱୀକାର କରିଯାଏ ଖୁବ୍ ନିରବରେ ।
ଯେତେବେଳେ ଅନ୍ୟର ପ୍ରାଣରେ ବ୍ୟଥା ଦିଏ
ଭୁଲିଯାଏ ପ୍ରଭୁସତ୍ତା ସେ ପ୍ରାଣୀ ହୃଦୟରେ ।


ସୁକର୍ମ ଦୁଃକର୍ମର ସଜ୍ଞା ଭୁଲିଯାଏ,
"ପ୍ରଭୁସତ୍ତାର ସ୍ଥିତି ଚତୁର୍ଦିଗେ"ର କରିଯାଏ ବିନା ଦ୍ୱିଧାରେ,
ଦୁଧହାଣ୍ଡିରେ ମୁହଁ ଛୁପାଇ ବିଲେଇ,
ଦୁଧ ସବୁ ପିଇଗଲାବେଳେ,
କେହି ଦେଖୁନାହିଁର ଆଶ୍ୱାସନରେ,
ଖୁସି ହୋଇଯାଏ ।

ପରନ୍ତୁ,
ପ୍ରତିଟି ଦୁଃଖଦ ମୁହୂର୍ତ୍ତରେ, କାକୁସ୍ତ ମନରେ,
ଗୁରୁଙ୍କ ବେତକୁ ଡରି ଯାଇଥିବା ଛାତ୍ରଟିଏପରି,
ପ୍ରଭୁସତ୍ତାର ଶରଣ ନେବାର ବାଧ୍ୟବାଧ୍ୟତାକୁ
ମୁଁ ମୋର ଭକ୍ତିର ଚାଦରରେ ଢାଙ୍କି ଦିଏ ।


ପ୍ରଭୁସତ୍ତା ଏକ ଅବଲମ୍ବନ ମାତ୍ର,
ସମାଜରେ ନିଜର ଭଲ ପଣିଆକୁ,
ସାବ୍ୟସ୍ତ କରିବାକୁ, ଦେଖେଇ ହେବାକୁ ।
କିନ୍ତୁ, ନିଜସ୍ୱ ଜୀବନରେ,
ପ୍ରତିମୁହୂର୍ତ୍ତରେ ପ୍ରଭୁସତ୍ତାକୁ
ଅସ୍ୱୀକାର କରିବାର ଅଭ୍ୟାସକୁ ,
ଆବଷ୍ୟକତାର ଖୋଳପା ଭିତରେ,
ଲୁଚାଇ ରଖିବାରେ ନିପୁଣ ଅଭିନୟ,
ମୋତେ ଏଠି ସାଧୁତାର ଉପାଧି ମଣ୍ଡିତ କରେ,
ଏବଂ ଏ ଉପାଧି ମୋତେ ଖୁବ୍ ଭଲଲାଗେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract