ପ୍ରଭୁ ଶ୍ରୀରାମେଶ୍ଵର
ପ୍ରଭୁ ଶ୍ରୀରାମେଶ୍ଵର
ଉତ୍ତରେ ବଦ୍ରିକା, ପଶ୍ଚିମେ ଦ୍ଵାରକା,
ପୂର୍ବେ ଜଗନ୍ନାଥ ଧାମ l
ଦକ୍ଷିଣେ ଥାପିଲେ ଶ୍ରୀରାମେଶ୍ୱରଙ୍କୁ
ତ୍ରେତୟା ଯୁଗେ ଶ୍ରୀରାମ ll
ଚତୁର୍ଦିଗେ ଚତୁର୍ଧାମ ବିରାଜଇ ଏ
ଆର୍ଯ୍ୟ ଭାରତ ବର୍ଷ l
ତିନି ଧାମ ଅଟେ ଶ୍ରୀବିଷ୍ଣୁଙ୍କ କ୍ଷେତ୍ର
ଦକ୍ଷିଣରେ ଆଶୁତୋଷ ll
ବଦ୍ରିକାରେ ପ୍ରଭୁ ତପ ଯୋଗ ସାଧି ରାମେଶ୍ୱରମରେ ସ୍ନାନ l
ଶ୍ରୀକ୍ଷେତ୍ର ଧାମରେ ଭୋଜନ ପ୍ରଭୁଙ୍କ ଦ୍ୱାରକାପୁରେ ଶୟନ ll
ବିଶ୍ରବାଙ୍କ ସୂତ ମହା ବଳବନ୍ତ
ମହାଜ୍ଞାନୀ ବ୍ରହ୍ମବେତ୍ତା l
ରାବଣ ନିଧନେ କୋଦଣ୍ଡଧାରୀଙ୍କ
ବଢ଼ି ଗଲା ବଡ଼ ଚିନ୍ତା ll
ବ୍ରାହ୍ମଣ ମାରିଲି ବ୍ରହ୍ମହତ୍ୟା କଲି
ପାତକେ ହୋଇଲି ଭାଗୀ l
ଭୋଳା ଶଙ୍କରଙ୍କୁ ପ୍ରତିଷ୍ଠା କରିବି
ହେବି ଶିବ ଅନୁରାଗୀ ll
ଏମନ୍ତ ବିଚାରି ପ୍ରଭୁ ଧନୁର୍ଦ୍ଧାରୀ
କଲେ ବଡ଼ ଆୟୋଜନ l
ହିମାଳୟୁ ଶିବଲିଙ୍ଗ ଘେନି ଆସ
ନିର୍ଦ୍ଦେଶିଲେ ହନୁମାନ ll
ଶୁଭବେଳା ଏବେ ଗଡ଼ି ଯାଉଅଛି
ହନୁ ଆସେ ନାହିଁ ଫେରି l
ବାଲୁକା ଲିଙ୍ଗଟେ ଗଢ଼ି ରଖିଦେଲେ
ମାଆ ଜନକ କୁମାରୀ ll
କୌଶଲ୍ୟା ନନ୍ଦନ ସେ ଲିଙ୍ଗ ପୂଜିଲେ
ନାମ ହେଲା ରାମେଶ୍ୱର l
ପବନ ନନ୍ଦନ ଲିଙ୍ଗ ଆଣିଥିଲେ ନାମ
ମୁଖ ଲିଙ୍ଗେଶ୍ୱର ll
ପ୍ରଭୁ ରାମଚନ୍ଦ୍ର ବାର୍ତ୍ତା ଦେଲେ ପୁଣି
ଯେ ପୂଜିବ ରାମେଶ୍ୱର l
ବିଷ୍ଣୁ ଶିବ କ୍ଷେତ୍ର ମରତେ ବିଖ୍ୟାତ
ସିଧା ଲଭିବ ମୋ ପୁର ll
ରାମାୟଣ ଯୁଗ କିର୍ତ୍ତୀ ସେତୁବନ୍ଧେ
ସିନ୍ଧୁ ତଟେ ରାମେଶ୍ୱର l
ପ୍ରଭୁ ଆଶୁତୋଷ ଲଭିବେ ସନ୍ତୋଷ
କର ତାଙ୍କୁ ନମସ୍କାର ll
