ପ୍ରଭାତେ ଦିବାକର
ପ୍ରଭାତେ ଦିବାକର
ପ୍ରଭାତ ହୋଇଲେ ନିଇତି ଉଏଁ
ପୂରୁବ ଦିଗେ ଦିବାକର,
ସୁନୀଳ ଗଗନୁ ରକ୍ତବର୍ଣ୍ଣ ଭାନୁ
ଦିଶୁଛନ୍ତି କି ମନୋହର l
ଚାରୁ ଚିତ୍ରପଟ ହରି ନେଲା ଚିତ୍ତ
ଲିଭିଲି ହୃଦେ ପ୍ରଶାନ୍ତି,
ସତେ ଋତୁରାଜ ପୀତ ବସ୍ତ୍ର ପିନ୍ଧି
ଝଲସେ କୋମଳ କାନ୍ତି l
ଆଶାର ଉଷୁମ ପରଶେ
ବିଛେଇ କିରଣରାଶି,
ସ୍ଵର୍ଣ୍ଣାଭ କିରଣେ, ସ୍ଵର୍ଣ୍ଣ ସମ ଝଳେ
ଉଜ୍ଜୀବିତ ବିଶ୍ୱବାସୀ l
ସବୁଜିମା ଭରେ, ସବିତ୍ରେ ସ୍ପର୍ଶରେ
ହସି ଉଠେ ଏହି ମହୀ,
ଗୋଠ ଅଭିମୁଖୀ, ଅନ୍ବେଷଣେ ପକ୍ଷୀ
ସବୁଜ କ୍ଷେତେ କୃଷକ ଭାଇ l
ଗ୍ରୀଷ୍ମରେ ଭାସ୍କର, ତେଜନ୍ତି ପ୍ରଖର
ଅଂଶୁଯାନ୍ତି ଅସ୍ତାଚଳେ,
ମାଟିର ମହକେ ନ୍ୟୁନ ତା'ର ଜ୍ୟୋତି
ମେଲାଣି ମାଗେ ଚଞ୍ଚଳେ l
ଅପରାହ୍ନେ ରବି, କୋମଳ ପ୍ରଭାବି
ବିହଗ ଗମନ୍ତି ନୀଡେ,
ବିଦାୟ କାଳରେ ହସର ସମ୍ଭାରେ
ରଜନୀ ଶୃଙ୍ଗାର ଲୋଡେ l
ସବୁରି ପରାଣେ ପ୍ରେମ, ପ୍ରୀତି, ଭରା
ମଧୁର ମଧୁ ଲଗନ,
ରବି ଆଗମନେ ତନୁମନ ପ୍ରାଣେ
ହୋଇଯାଏ ଆଜି ଧନ୍ୟ l
ହେ ରବି, ହେ ସୂର୍ଯ୍ୟ ନାରାୟଣ
ତୁମକୁ ଦୂରୁ ଜୁହାର,
ତୁମ କୃପା ଦୃଷ୍ଟି ଏମିତି ହିଁ
ଥାଉ ଉପରେ ଆମର l