ପ୍ରଭାତ ବର୍ଣ୍ଣନା
ପ୍ରଭାତ ବର୍ଣ୍ଣନା
ପ୍ରାଚୀ କାନ୍ଥ ସଙ୍ଗି ନାରଙ୍ଗିରେ ରଙ୍ଗି
ବିହାୟସ କୋଳେ ଭାନୁ
ଅପୂର୍ବ ଏ ଖେଳା ପ୍ରଭାତର ବେଳା
ଭୁଲି ନହୁଏ ଯେ ମନୁ ।
ପ୍ରାତଃ ବନ୍ଦନୀୟ ଯେତେ ଦେବାଳୟ
ପହିଲା କିରଣ ଲଭି
କୌତୁହଳ ପୂର୍ଣ୍ଣ ଏଇ ଧରା ଧାମ
କବି ଯେ ପାରେନା ଭାବି ।
ମତୁଆଲା ହୋଇ ଖଗ କୁଳ ଗାଇ
ପ୍ରଭାତର ଗୀତିକାର
ନିଦ୍ରା ତ୍ୟାଗୀ ନାରୀ ଗୃହରୁ ବାହାରି
ଚଳିଲେ ଯେ ସରୋବର ।
ତୁଠକୁ ଉଜ୍ଜ୍ୱଳ କରିଣ ସହଳ
କୁମ୍ଭରେ ଭରିଲେ ପୟ
ଅନ୍ନପୂର୍ଣ୍ଣା ସାଜି ରନ୍ଧନରେ ମଜ୍ଜି
ଭୋଜନେ ସତେ ଅଭୟ ।
ଚାଷୀ କାନ୍ଧେ ଭାର ଲଙ୍ଗଳର ହାର
ସଙ୍ଗେ ଖେତ ପଟୁଆର
ଗୁଣୁଗୁଣୁ ସ୍ବରେ ଆନନ୍ଦ ମୁଖରେ
ଝଡ ବର୍ଷା କରେ ପାର ।
ଜ୍ଞାନ ଅରଜନେ ବିଦ୍ୟାର୍ଥୀଙ୍କ ମନେ
ଉପୁଜେ ସମୟ ଶୁଭ
ବିକସି ନଳିନୀ ସାଜି ଜଳ ରାଣୀ
ବିଛାଏ ତା'ର ସୌରଭ ।
ମାଳତୀ ବଲ୍ଲରୀ ଚଉଦିଗ ଘେରି
ଭ୍ରମର କରେ ଗୁଞ୍ଜନ
ପ୍ରଭାତ ସମୟ ଅତି ଲୋଭନୀୟ
ସୁନେଲି ରୂପେଲି ମନ ।
ଶୀତଳ ପରଶେ ମନର ହରଷେ
ସକଳ ଜୀବ ଜଗତ
ଯେହ୍ନେ ପ୍ରଭୁ ନାମେ ସଦା ମନ ଭ୍ରମେ
ଭକ୍ତିରେ ହୋଇ ପ୍ଳାବିତ ।
ଦୁନିଆ ମୁଲକେ ସଂସାର ଆଲୋକେ
ଶୁଭାଶୀଷ ପଡୁ ଝରି
ପ୍ରଭାତ ଗୀତିକା ହୃଦୟେ ଲତିକା
ଦିନ ଯାଉ ସୁଖେ ସରି ।
