ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ଭୁଲ୍ ତ କଲେ ପ୍ରାୟଶ୍ଚିତ ନିଶ୍ଚେ
କରିବାକୁ ପଡି ଥାଏ
ପ୍ରାୟଶ୍ଚିତ ଯିଏ କରି ପାରି ଥାଏ
ପ୍ରକୃତ ମଣିଷ ସିଏ ।
ମଣିଷ ମାତ୍ରକେ ଭୁଲ ତ ହୁଏ
ମାନି ନେବା ତାକୁ ଭଲ
ବୁଝି ପାରେ ଯିଏ ନିଜର ଦୋଷକୁ
ଜାଣେ ପ୍ରାୟଶ୍ଚିତ ମୂଲ ।
ଗର୍ବ ଅହଂକାର ବଶବର୍ତ୍ତୀ ହେଇ
ଦୋଷ ଯିଏ ମାନେ ନାହିଁ
ନିଜ ଅହଂମିକା ବଡ ପଣ ପାଇଁ
ପ୍ରାୟଶ୍ଚିତ କରେ ନାହିଁ ।
ନିଜ କ୍ଷତି ସାଥେ ନିଜ ବଂଶର ଯେ
ଧ୍ବଂସର କାରଣ ହୁଏ
ଆଖି ଆଗେ ସବୁ ଶେଷ ହେଇଯାଏ
ମରି ମରି ବଞ୍ଚୁ ଥାଏ ।
ଶକୁନିର ବଂଶ ଧ୍ୱଂସର କାରଣ
ଦୁର୍ଯ୍ୟୋଧନ ହୋଇଥିଲା
ସେଇ ଶକୁନିର କୁମନ୍ତ୍ରଣା ବଳେ
ତାର ବଂଶ ଶେଷ କଲା ।
ରାମଚନ୍ଦ୍ର ବନବାସର କାରଣ
ବିମାତା କୈକେୟୀ ହେଲେ
ଭାତୃପ୍ରେମେ ଭାଇ ଭରତ ତାଙ୍କର
ପ୍ରାୟଶ୍ଚିତ କରି ଥିଲେ
ବାଜଶ୍ରବା ଋଷି ରୁଗଣା ଗାଈଙ୍କୁ
ବ୍ରାହ୍ମଣଙ୍କୁ ଦାନ ଦେଲେ
ଦେଖି ନଚିକେତା ପ୍ରାୟଶ୍ଚିତ ପାଇଁ
ଯମ ପାଖେ ଚାଲି ଗଲେ ।
ଅହଲ୍ଯା ହରଣ କରି ଇନ୍ଦ୍ରଦେବ
ଅଭିଶପ୍ତ ହେଇ ଗଲେ
ପ୍ରାୟଶ୍ଚିତ ପରେ ସେ ଯୋନିକୁ ଋଷି
ସହସ୍ର ନେତ୍ର କରିଲେ ।
ବ୍ରହ୍ମ ହତ୍ୟା ଦୋଷ କରି ଚନ୍ଦ୍ର ଦେବ
ମୁହଁ ଲୁଚି ରହିଥିଲେ
ନାରୀ, ନଦୀ, ବୃକ୍ଷ, ଧରିତ୍ରୀ ସେ ଦୋଷ
ନେଲେ ପ୍ରାୟଶ୍ଚିତ କଲେ ।
ଦୁର୍ବାସାଙ୍କୁ ଉପହାସ କରି ଶାମ୍ବ
ଗର୍ଭ କଥା ପଚାରିଲେ
ପ୍ରାୟଶ୍ଚିତ ପାଇଁ ସେଇ ମୂଷଳରେ
କୃଷ୍ଣ ବଂଶ ଶେଷ କଲେ ।
ବାଳୀ ବଧ ପରେ ସତୀ ତାରା ରାମେ
ଅଭିଶାପ ଦେଇ ଥିଲେ
ପ୍ରାୟଶ୍ଚିତ ରୁପେ କୃଷ୍ଣ ଅବତାରେ
ଜରା ହସ୍ତେ ବଧ ହେଲେ ।
ଜୟ ବିଜୟ ଯେ ଅଭିଶାପ ପାଇ
ରାକ୍ଷାସ ହେଇ ଜନ୍ମିଲେ
ପ୍ରଭୁଙ୍କ ହସ୍ତରେ ବଧ ହେଇ ସିଏ
ପ୍ରାୟଶ୍ଚିତ ହେଇ ଗଲେ ।
ପୃଥିବୀ ନିକ୍ଷତ୍ରୀ ପାଇଁ ପର୍ଶୁରାମ
ଶପଥ କରିଣ ଥିଲେ
ରାମଙ୍କ ପାଖରେ ପରାସ୍ତ ହୋଇଣ
ପ୍ରାୟଶ୍ଚିତ କରିଥିଲେ ।
ପ୍ରାୟଶ୍ଚିତ ଯିଏ କରି ପାରି ଥାଏ
ଦୁନିଆରେ ବଡ ସିଏ
ଏଇ ପ୍ରାୟଶ୍ଚିତ ପାଇଁ ଶତ୍ରୁ ମିତ୍ର
ସମ୍ପର୍କ ଯେ ଗଢି ହୁଏ ।
ପ୍ରାୟଶ୍ଚିତ ପାଇଁ ହସେ ପରିବାର
ସ୍ନେହର ମମତା ପାଇ
ଭୁଲି ଯାଇଥାନ୍ତି ହୃଦୟର ଦୁଃଖ
ଆପଣାର ଯାନ୍ତି ହେଇ ।
ପ୍ରାୟଶ୍ଚିତ ଯେତେ ଜଲଦି କରି ପାର
ସେତେ ଭଲ ହେବ ସିଏ
ନେଡି ଗୁଡ କହୁଣୀକୁ ବହି ଗଲେ
ସବୁ କିଛି ସରି ଯାଏ ।
ପ୍ରାୟଶ୍ଚିତ ଯିଏ କରି ପାରେ ନାହିଁ
କଷ୍ଟ ଭୋଗୁ ଥାଏ ସିଏ
ଏତେ ବଡ ଏ ଜଗତରେ ତାର ନା
ଆପଣାର କିଏ ହୁଏ ।
