ପ୍ରାର୍ଥନା
ପ୍ରାର୍ଥନା
ସର୍ବଶକ୍ତିମାନ ପରମ ଈଶ୍ୱର
ସାରା ସଂସାରର ସ୍ୱାମୀ,
ସରସ ହରଷ ଅଧରେ ପୂରିତ
ଆହେ ପ୍ରଭୁ ଅନ୍ତର୍ଯ୍ୟାମୀ ।
କି ସୁନ୍ଦର ତୁମେ ଗଢ଼ିଛ ବିଶ୍ୱକୁ
ଆକାଶେ ଖଞ୍ଜିଛ ତାରା,
ପ୍ରକୃତିକୁ ତୁମେ ପୁଷ୍ପେ ସଜାଇଛ
ଫୁଲେ ଫୁଲେ ରଙ୍ଗ ଭରା ।
ରତ୍ନାକରେ ତୁମେ ଭରିଛ ରତନ
ବୃକ୍ଷରେ ଭରିଛ ଛାୟା,
ଦୁର୍ଲଭ ଜୀବନ ପ୍ରଦାନ କରିଛ
ଦେଇଣ ମାନବ କାୟା ।
ଶିଶୁର ଓଠରେ ହସ ଫୁଟାଇଛ
ସୂର୍ଯ୍ୟଙ୍କୁ ଦେଇଛ ଜ୍ୟୋତି,
ସବୁରି ହୃଦୟେ ପ୍ରତି ଅନ୍ତରରେ
ଭରିଅଛ ସ୍ନେହ ପ୍ରୀତି ।
ସୁବର୍ଣ୍ଣର କ୍ଷେତରେ ଶସ୍ୟସମ୍ପଦ
ତୁମେ ତ ଦେଇଛ ଢ଼ାଳି,
ଅଜ୍ଞାନ ମନରେ ଜ୍ଞାନର ପ୍ରଦୀପ
ତୁମେ ଦେଉଅଛ ଜାଳି ।
ଇନ୍ଦ୍ରଧନୁରେ ସାତ ଗୋଟି ରଙ୍ଗ
ତୁମେ ହିଁ ଦେଇଛ ବୋଳି,
ଆକାଶେ ନୀଳିମା ବୃକ୍ଷେ ସବୁଜିମା
ପୁଣି ବଗିଚାକୁ ମାଳୀ ।
ସୂର୍ଯ୍ୟଙ୍କୁ ଦେଇଣ ଅଗ୍ନିର ଉତ୍ତାପ
ଚନ୍ଦ୍ରକୁ କଲ ଶୀତଳ,
ସୃଷ୍ଟି ଭାରସାମ୍ୟ ରକ୍ଷା ପାଇଁ ତୁମେ
ଛଅ ଋତୁ ଖଞ୍ଜି ଦେଲ ।
ଗ୍ରୀଷମ, ବରଷା, ଶରତ, ହେମନ୍ତ
ଶୀତ ପୁଣି ଯେ ବସନ୍ତ,
ସାରା ସଂସାରର କଥା ବୁଝୁଅଛ
ରୂପ ତୁମର ପ୍ରଶାନ୍ତ ।
ଦୁଇ ନେତ୍ରରେ ମୋ ଭରହେ ବିଶ୍ୱାସ
ଶ୍ରଦ୍ଧା ଭରିଦିଅ ମନେ,
ଓଷ୍ଠେ ଭରିଦିଅ ଅମୃତର ସ୍ୱର
ଭକ୍ତି ଭରିଦିଅ ଜ୍ଞାନେ ।
ଜଗତ ଠାକୁର କରୁଣା ସାଗର
ପ୍ରତି ପ୍ରାଣେ ତୁମ ଘର,
ପକ୍ଷୀ କାକଳିରେ ପ୍ରଭଞ୍ଜନ ତାନେ
ଶୁଭିଯାଏ ତୁମ ସ୍ୱର ।
ପ୍ରତି ଲୋମକୂପରେ ମୋ ଭରିଯାଉ
ପ୍ରଭୁ ତୁମରି ଆଶିଷ,
ବୁଝି ପାରିନାହିଁ ଆଜି ଯାଏଁ ମୁହଁ
ତୁମରି ନିଗୂଢ଼ ତତ୍ତ୍ୱ ।
ଏତିକି ବୁଝିଛି ଆହେ ବିଶ୍ୱନାଥ
ତୁମରି ଆଦେଶ ବିନା,
ବିଶ୍ୱ ଭୁବନରେ ବୃକ୍ଷରୁ କଦାପି
ପତ୍ରଟେ ସୁଦ୍ଧା ହଲେନା ।
ଆପଣାର ଦୁଇ ବାହୁ ମେଲିଦେଇ
କୋଳେଇ ନିଅ ହେ ମୋତେ,
ତୁମରି ଆଶିଷେ ଚାଲୁଥିବି ମୁହିଁ
ସଦା ସତ୍ୟ ନ୍ୟାୟ ପଥେ ।
