ପ୍ରାର୍ଥନା
ପ୍ରାର୍ଥନା
ହେ ଚିନ୍ତାମଣି ଜଗତ କରତା
ସ୍ନାନ ମଣ୍ଡପରେ ବିଜେ
ଶୂନ୍ୟ ବଡ଼ଦାଣ୍ଡ ଭକତ ଆକୁଳ
ଦରଶନ ଆଶେ ଖୋଜେ ।
ପବିତ୍ର ଦୁର୍ଲଭ ଗଜାନନ ବେଶ
ଚତୁର୍ଦ୍ଧାମୂରତି ରୂପ
ଥାଇ ବଡଦାଣ୍ଡେ ସ୍ମରୁଛି ଭକତ
କରୁଅଛି ମନସ୍ତାପ ।
ପ୍ରାର୍ଥନା ଶକତି ଧାର୍ମିକ ଶରଧା
ପତିତର ରାମବାଣ
ଅସାର ଜୀବନେ ପାବନ ପ୍ରଶାନ୍ତି
ଆନନ୍ଦ କରେ ପ୍ରଦାନ ।
ଦୀନବନ୍ଧୁ ତୁମେ ଜୀବନ ମରୁରେ
ସୁନ୍ଦର ମରୁ ଉଦ୍ୟାନ
ତୁମେ ଜୀବନର ଉଦ୍ଦେଶ୍ୟ ଉଦ୍ଦିଷ୍ଟ
ପୂର୍ଣ୍ଣ ସ୍ୱାସ୍ଥ୍ୟ ପୂର୍ଣ୍ଣ ଜ୍ଞାନ ।
ତୁମେ ସମ୍ପନ୍ନ ତା ଆଗ୍ରହ ଉତ୍ସାହ
ପ୍ରଖର ଉଲ୍ଲାସ ଉତ୍ସ
ରୋଗ ଦୁଃଖ ଋଣ ବଢି ଦୁର୍ବିପାକ
ତୁମ ଆଜ୍ଞା ରେ ଅବଦମିତ ।
ଘୋର ଅନିଶ୍ଚିତ ନିର୍ମମ ନିଷ୍ଠୁର
ଜୀବନେ ନାସ୍ତିକ ଜ୍ଞାନ
ମଝି ଦରିଆରେ ବୁଡିଯାଏ ଭେଳା
ରକ୍ଷା କର ଭଗବାନ ।
ଅନିଶ୍ଚିତ ପ୍ରଶ୍ନ ଅଜ୍ଞାନ ଜିଜ୍ଞାସା
ଭୟ ଚିନ୍ତା ଉଦ୍ ବେଗ
ତୁମରି କୃପାରୁ ହେଉ ଚିର ଧୌତ
ସଞ୍ଚରୁ ଆଶା ଉତ୍ସାହ ।
ଅଦଭୁତ ତୁମ ବଡ଼ ଚକାଡୋଳା
ଦୁର୍ବାର ତା ଆକର୍ଷଣ
ଅଧ୍ୟାତ୍ମ ଶରଧା ସନାତନ ନିତ୍ୟ
କରେ ଜୀବନ ଜୟଗାନ ।
କର ନାହିଁ ଊଣା କରୁଣା ନିଧାନ
ଭକତି ଭାବରୁ ଦୂର
ପର୦ବ୍ରହ୍ମ ତୁମେ ସନ୍ତୋଷ ସମ୍ପନ୍ନ
ପ୍ରାଣୀଙ୍କ ତାରଣହାର ।
ଜୀବନ ଯଦି ସତ୍ୟ ଆଧାରିତ
ନୁହେଁ ଭ୍ରାନ୍ତି ନିରର୍ଥକ
ଦୂର ହେଉ ଭୟ ରୋଗ ଦୁଃଖ କଷ୍ଟ
ହେ ପ୍ରଭୁ ବିଶ୍ଵ ପାଳକ ।।