STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ପ୍ରାଣପକ୍ଷୀ

ପ୍ରାଣପକ୍ଷୀ

1 min
144


ଏ ଜୀବନ ଆଲୁଅ ଓ ଅନ୍ଧାରର ଆକାଶଟେ 

ତାରା ମାନେ ଆପଣାର ପରି ତୋର

ଅଛନ୍ତି ତୋ' ସାଥେ ତଥାପି ନଥାନ୍ତି

ଉଡ଼ିବାକୁ ତୋର ଭାରି ଇଛା ଅବାଧ, ଅବିଘ୍ନେ ଓ ମୁକ୍ତେ

ତୁ କିନ୍ତୁ ଭଲ ସେ ଜାଣିଛୁ 

ଠିକ୍ ସେ ଚିହ୍ନିଛୁ ଆକାଶର ମାଟିକୁ, 


ଦେବନାହିଁ ସଦା ତୋତେ ଉଡ଼ିବାକୁ

କେବେକେବେ କରିବ ସେ ହନ୍ତସନ୍ତ 

ଦୁଇଦିଗେ ପବନକୁ ତୀବ୍ର ବେଗେ ଆଣି

କ୍ଲାନ୍ତ ହୋଇ ଥକିଯିବୁ ଫେରିଯିବୁ ତୋ' ନୀଡ଼କୁ, 


ଭୁଲିଯା' ନି ଆକାଶଟା ତୋର କିନ୍ତୁ ଏକା ତୋର ନୁହେଁ

ତୋ ଜୀବନ ଆକାଶେ କେତେକାର ଅଧିକାର

କେବେ ସାଜୁ କାରଣ କାହା ଲୁହଲହୁର

ପୁଣି କେବେ ସାଜିପାରୁ କାରଣ ଟିକିଏ ହସର

ବୁଝେଇଦେରେ ପ୍ରାଣପକ୍ଷୀ ତୁ ନିଜକୁ,


ତୋ' ଡ଼େଣାରେ କେତେ ଶକ୍ତି 

ଅଜାଣତେ ଜନ୍ମରୁ ତୁ କରିଅଛୁ ଆକାଶ ସହ ଚୁକ୍ତି

ତୋ' ଜୀବନ ଆକାଶଟା ଅନ୍ଧାର ହେଲେ 

ଦେଖିବୁ ଜହ୍ନର ଉଜ୍ଜ୍ବଳତା, ଜ୍ୟୋସ୍ନା

ସୂର୍ଯ୍ୟ-ଜହ୍ନ ଆକାଶକୁ କରିଥାନ୍ତି ପୂର୍ଣ୍ଣ

ଲୁହ ଆଉ ହସ କଲାଭଳି ଜୀବନକୁ, 


ଆଜିକାଲି ଉଡ଼ିବାକୁ ଇଛା ନାହିଁ ତାର

ଡ଼ାକୁଥାଏ ଈଶ୍ବରଙ୍କୁ ଛଡ଼ାଇ ନିଅ ଉଡ଼ିବାର ଅଧିକାର

ମାଟି ଟିକେ ଦିଅ ମାଟିରେ ଚାଲିବି 

ଏ ଜୀବନ ଆକାଶେ ଉଡ଼ିବାର ସ୍ୱପ୍ନଟା

ଜହ୍ନର ଶୀତଳତାରେ ବି ଯାଏ କାହିଁ ଜଳି

ସମ୍ପୂର୍ଣ୍ଣତା ଲୋଡ଼ାନାହିଁ ମୋର କହେ ପ୍ରାଣପକ୍ଷୀ

ଡ଼େଣା ନୁହେଁ ପାଦକର ଶକ୍ତ ଚାଲିବାକୁ, 


ଆଉ କାହିଁ ଇଛା ନାହିଁ 

ତୁମ ଜୀବନ ଆକାଶରେ ଉଡ଼ିବାକୁ

ବାରବାର କଚାଡ଼ି ହୋଇ ପଡ଼ିବାକୁ

ବିନା ଲୁହରେ ବିନା ଶବଦରେ କାନ୍ଦିବାକୁ

ପ୍ରାଣପକ୍ଷୀ କରେ ନିବେଦନ

ହେ ବିଧାତା ହେ ପ୍ରକୃତି ଈଶ୍ବର.. 

ଟିକିଏ ସୁଯୋଗ ମିଳୁ ହେ

ଟିକେ ହସିହସି ବଞ୍ଚିବାକୁ ହଁ କେବଳ ବଞ୍ଚିବାକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract