STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ପ୍ରାଣୀ ମନ ବୁଝେ‌ ମହତ ଜନ

ପ୍ରାଣୀ ମନ ବୁଝେ‌ ମହତ ଜନ

2 mins
312


ମଣିଷ ମଧ୍ୟରେ ଭାବ ଦିଆନିଆ

   ନିଜ ଭାଷା ବିନିମୟେ,

ଏମିତି ଅନେକ ଭାଷା ଭାବ ତତ୍ତ୍ଵେ

   ମଣିଷଟି ଚଳୁଥାଏ।

ଓଡ଼ିଆ ଲୋକଟି ଓଡ଼ିଆ ବୁଝୁଛି

   ତେଲ୍ଗୁ ବୁଝିପାରେନାହିଁ,

ଇଂରାଜୀ ଲୋକଟି ଇଂରାଜୀ କହୁଛି

   ଓଡ଼ିଆ ବୁଝିବ କାହିଁ?

ସେମିତି ପ୍ରତ୍ୟେକ ଜୀବଜନ୍ତୁ ଏଠି

   ନିଜ କଥାବାର୍ତ୍ତା ହୋନ୍ତି,

ସେମାନଙ୍କ ଭାଷା ସେମାନେ ବୁଝନ୍ତି

   ଆମକୁ ଅଜଣା ଅତି।

ଆମେ କିନ୍ତୁ କହୁ ମୁକ ଜୀବଜନ୍ତୁ

   କଥା କହିପାରେ ନାହିଁ, 

କିନ୍ତୁ କିଛି ଶବ୍ଦ କିଛି ଅଙ୍ଗଭଙ୍ଗୀ‌

   ପଶୁପକ୍ଷୀ ଭାଷା ସେହି।

ବୁଝିଛକି‌ କେବେ ପୋଷା କୁକୁରର

   ପେଟର‌ ଭୋକିଲା ଭାବ,

ମାଲିକ ଆଗରେ କୁଁ କୁଁ ହୋଇ

   ଲାଞ୍ଜକୁ ହଲ‌ଉଥିବ‌।

ଗାଈ ଗୋରୁ ହାତୀ ପାରା କି ବିଲେଇ

   ପରଷ୍ପର କଥା ହୋଇ,

ନିଜ ଭାବ ବିନିମୟ କରୁଥାନ୍ତି

    ମନ କଥା କହି କହି।

ଦୁନିଆଁରେ ଯେତେ ପ୍ରାଣୀ ବଞ୍ଚିଛନ୍ତି

    ତାଙ୍କ ଭାଷା କହୁଛନ୍ତି,

ଆମେ କିନ୍ତୁ ତାଙ୍କୁ ବୁଝିପାରୁ‌ ନାହୁଁ ‌

    ମନରେ ରଖି ବିଭ୍ରାନ୍ତି‌। 

ଯଦିବା ବୁଝନ୍ତା ମଣିଷ କା' କଥା

    ନିଜକୁ ଶ୍ରେଷ୍ଠ ବୋଲାନ୍ତା‌,

ନ ବୁଝି କା'ଭାବ ଅଛି କେଉଁ ଲାଭ

    ଦେଖାଇବା‌ ପୌରୁଷତା?

ବେଳ ଥିଲା ପଶୁ ଭାଷାକୁ ମଣିଷ 

    ଭଲ ଭାବେ ବୁଝୁଥିଲା‌,

ତ୍ରେତୟା ଯୁଗରେ ରାମ ଦରବାରେ

    ଶ୍ଵାନ‌ ବି ନ୍ୟାୟ ପାଇଲା‌।

ହେଉ ପକ୍ଷୀଜଟା ଭଲ୍ଲୁକ,ବାନର,

    ହେଉକି‌ ଗୁଣ୍ଡୁଚି‌ ମୂଷା,

ଦୟାଳୁ‌ ଠାକୁର ରାମ ଦେଲେ ବର

    ବୁଝିପାରି ତାଙ୍କ ଭାଷା‌।

ଏବେ କିନ୍ତୁ ଆମେ ମାଙ୍କଡଟି‌ ପ୍ରତି

    ବହୁତ ନିଷ୍ଠୁର ହେଉ,  

ବିନା କାରଣରେ ସେମାନଙ୍କୁ ଆମେ

    ଢେଲା‌ ପଥର ପକାଉ‌।

ମାଙ୍କଡ କାହିଁକି ପ୍ରତି ଜୀବଜନ୍ତୁ

    ମଣିଷକୁ ଡରୁଛନ୍ତି,

ମଣିଷଙ୍କ ପାଖେ ବିଶ୍ଵାସ ଭରଷା

    ଶବ୍ଦଟି ଯାଇଛି ତୁଟି‌।

ପୂର୍ବ କାଳେ ମୁନିଋଷିଙ୍କ ଆଶ୍ରମେ

    ପଶୁପକ୍ଷୀ ରହୁଥିଲେ,

ସେମାନଙ୍କ ସହ ମହାତ୍ମା ସନ୍ନ୍ୟାସୀ

     ସୁସମ୍ପର୍କ ରଖିଥିଲେ।

ଆଜି ଆମେ କିନ୍ତୁ ଜୀବ ବଧ କରୁ

    ମାଂସ ତା' ପାଇବା ପାଇଁ,

ଜୀବେ ଯାର ଦୟା ନାହିଁ ହେ ଉଦ୍ଧବ

    ଅସଲ ଚଣ୍ଡାଳ‌ ସେହି।  

ମଣିଷ ଯଦିବା‌ କରିବ ପ୍ରଚେଷ୍ଟା 

    ବୁଝିଯିବ‌ ପ୍ରାଣୀ କଥା,

ଯେମିତି ଶିଶୁର ଦରଟି‌ ଭାଷାକୁ 

    ବୁଝିପାରୁଥାଏ‌ ମାତା‌।

ଗୁରୁଦେବ ଶିବାନନ୍ଦ ସରସ୍ଵତୀ

    ମହତ କଥା କହିଲେ,

"ପ୍ରତି ପ୍ରାଣୀ ଦିବ୍ୟଜ୍ଞାନ ଅଧିକାରୀ"

   ଜାଣିଥାଅ‌ ବାବୁ ଭଲେ।

ଅଗାଧ‌ ଜଳରୁ ଗଜ ଭାବ ପୁଣି

   ଗହନ ବନୁଁ ମୃଗୁଣୀ,

କେଉଁଭାବେ ଡାକ ଦେଇଥିଲେ ଯେଣୁ

   ଉଦ୍ଧାରିଲେ‌ ଚକ୍ରପାଣି।

ମହତ ଲୋକଙ୍କ ମହତ ଉଦ୍ଦେଶ୍ଯ

   ବସୁଧା‌ କୁଟୁମ୍ବ ଭାବେ‌,

ଅଜ୍ଞାନ ଆଖିରେ ମଣିଷମାନେବି

    ଛୋଟବଡ ଦିଶୁଥିବେ‌।

ମଣିଷ ତାହାର ସୂକ୍ଷ୍ମ ଚେତନାରେ

    ଯଦି ଉପଲବ୍ଧି କରେ,

ପଶୁପକ୍ଷୀ ଭାବ ନିଶ୍ଚୟ ବୁଝିବ

    ସନ୍ଦେହ ନାହିଁ ଏଥିରେ।

ଜର୍ମାନୀ ଦେଶର ସୁବିଖ୍ୟାତ କବି

    ଜନ୍ କିଟ୍‌ସ କହିଥିଲେ,

ପଶୁପକ୍ଷୀ ପୁଣି ଗୀତ ଗାଉଛନ୍ତି

    ନାନା ସୁମଧୁର ସୁରେ।

ପୃଥିବୀରୁ କେବେ କେଉଁ ମୁହୂର୍ତ୍ତରେ

    ସଙ୍ଗୀତ ବିଲୟ ନାହିଁ,

ଝିଙ୍କାରୀଟି‌ ମଧ୍ୟ ଅର୍ଦ୍ଧ ରାତ୍ରିଟାରେ

    ଗୀତ ଗାଏ ଭାବ ନେଇ‌।

ହେଉ ଯେତେ ହିଂସ୍ର ବ୍ୟାଘ୍ର କି ଭଲ୍ଲୁକ

    ହେଉ ବିଷଧର‌ ସର୍ପ,

କେବଳ ଟିକିଏ‌ ଭଲ ପାଇବାରେ

    ହୋଇଥାନ୍ତି ବଶୀଭୂତ।

ମଣିଷରସ୍ନେହ ସମ୍ପର୍କ‌ ଡୋରୀରେ

    ପଶୁ ବୋଲ ମାନିଯାଏ,

ବିଶ୍ବାସୀ ଭାଇଟି‌ ଭଳି ମଣିଷର

    ପାଖେ ପାଖେ ରହୁଥାଏ।

ପ୍ରେମଟି‌ ଏମିତି ପୁଣ୍ୟ ମହୌଷଧି

    ସବୁ ବଦଳେଇ ପାରେ,

ମାଂସାସୀ ଜନ୍ତୁକୁ‌ ଅବିଳମ୍ବେ କିନ୍ତୁ

    ବଦଳାଏ‌ ସାତ୍ତ୍ୱିକରେ।

ଧନ୍ୟ ସେ‌ ଈଶ୍ୱର ଗଢିଲେ ସଂସାର

     ଛପ୍ନାକୋଟି‌ ଜୀବଜନ୍ତୁ,

ପ୍ରତି ଜୀବଙ୍କର‌ ସମ ଅଧିକାର

     ରହିଛି ଏଠାରେ କିନ୍ତୁ।

ତେଣୁ ହେ ମଣିଷ ତେଜି ରାଗ ଦ୍ଵୈଷ

    ସଭିଙ୍କୁ ଆପଣା କର,

ଭଲ ପାଇବାର ବୀଜ ବୁଣିଚାଲ‌

    ହସିବ ସାରା ସଂସାର।



Rate this content
Log in

Similar oriya poem from Tragedy