STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ପରାଜିତ

ପରାଜିତ

1 min
145


ଚାହେଁନା ମୁଁ ତୁମ ପାଶେ

ସେ ରକ୍ତିମ ଅଧର,

ଫିକା କରିଦେବ ଯାହା

ସମୟର ଜୁଆର। 

ଚାହେଁନା ମୁଁ ତୁମ ପାଶେ

ଚାଲି ବନହଂସୀର,

ବୟସର ଆଶା ବାଡ଼ି

ଶେଷ ସାହା ଯାହାର। 

ଚାହେଁନା ମୁଁ ତୁମ ପାଶେ

ଘନକୃଷ୍ଣ କବରୀ,

ବୟସ ଝଡରେ ଯିଏ

ଝଡିବ ତୁଳା ପରି। 

ଚାହେଁନା କଜଳ ମୁଁହି

ତୁମ ସେ ଆଖିଧାରେ,

ଯାହା ଦିନେ ଧୋଇଯିବ

ବୟସର ଲୁହରେ।  

ଚାହେଁନା ମୁଁ ତୁମ

ବନ ହରିଣୀର ଚାହାଣୀ,

ବାର୍ଦ୍ଧକ୍ୟ କାଳିମା ଦିନେ

ଲେଖିବ ଯା କାହାଣୀ। 

ଚାହେଁ ମୁହିଁ ତୁମ ପାଶେ

ଏକ ସୁନ୍ଦର ମନ,

ଯାହା ପାଶେ ସଦା ଥିବ

ପ୍ରେମ ଆଉ ଯୌବନ। 

ଯାହା ଅଧରରେ ସଦା

ଫୁଟୁଥିବ ଗୋଲାପ,

ଯାହା ଓଠର ହସଟା

ଲାଗୁଥିବ ନିଷ୍ପାପ। 

ଯାହାର କର ପରଶ

ଫୁଲ ଠାରୁ ନରମ,

ଶୀତଳ ଜୋଛନା ବୁଣେ

ଯାହା କଥା କୁସୁମ। 

ଯାହା କେଶର କବରୀ

ବିତରିବ ମହକ,

ଯାହାର ଚୋରା ଚାହାଣୀ

ଭରୁଥିବ ମାଦକ। 

ଯାହା ପାଦର ଚାଲିରେ

ରୁଣୁଝୁଣୁ ନୁପୁର,

ବନ୍ଧା ପଡିବ ବୟସ

ସଦା ଯାହା ପାଶର। 

ସେ ସୁନ୍ଦର ମନ ପାଖେ

ପରାଜିତ ବାର୍ଦ୍ଧକ୍ୟ,

ଝଲସୁଥିବ ସେ ମନ

ସୁନାଠୁ ଜକଜକ। 



Rate this content
Log in

Similar oriya poem from Inspirational