ପରାଭବ
ପରାଭବ
ଯିଏ ଯେଉଁ କର୍ମ ଯେମିତି କରିବ
ସେଇ ପରାଭବ ପାଏ
ବୁଝି ବିଚାରି କି କର୍ମ କରୁ ଥିବ
ଅନ୍ୟଥା ନୁହଁଇ ଇଏ ।
ଏଇତ ଜୀବନ ଝଡ ଝଞ୍ଜା ପୂର୍ଣ୍ଣ
ପଥ କଣ୍ଟକିତମୟ
ଜୀବନ ସଂଘର୍ଷେ କିଏ ଜିତୁ ଥାଏ
କିଏ ହୁଏ ପରାଜୟ ?
ପାହାଚ ପରେ ଯେ ପାହାଚ ଚଢିବା
ଲାଗୁ ଥାଏ ଖୁସି କେତେ
ହେଲେ ସେଥିପାଇଁ କେତେ ଯେ ସଂଘର୍ଷ
କରିବାକୁ ପଡେ ସତେ ।
ସତ୍ୟ ସଚ୍ଚୋଟର ଧର୍ମ ନ୍ୟାୟ ପଥ
ଯନ୍ତ୍ରଣା ଦାୟକ ବେଶୀ
ଭାବି ଚିନ୍ତି ଯଦି ନିଷ୍ପତ୍ତି ନ ନେଲ
ଅକ୍ଳେଶରେ ଯିବ ଫଶି ।
ମରିବା ଅପେକ୍ଷା ପରାଭବଟା ଯେ
ଆଧିକ ଦୁଃଖ ଦାୟକ
ଧନ ମାନ ସବୁ ଚାଲି ଯାଏ ଥାଏ
ରହି ଥାଏ ଖାଲି ଶୋକ ।
ଶକୁନିର କୁଟ କୁମନ୍ତ୍ରଣା ଫଳେ
ମହାମାନୀ ଦୁର୍ଯ୍ୟୋଧନ
ନିଜେ ପରାଭବ ପାଇଲା ଶେଷରେ
ବଂଶ ହେଲା ସମାପନ ।
ମାତା କୁନ୍ତୀ ପାଇଁ କର୍ଣ୍ଣ ବୀର ନିଜେ
ପରାଭବ ହେଇ ଥିଲେ
ଅର୍ଜ୍ଜୁନର ସଙ୍ଗେ ଘୋର ଯୁଦ୍ଧ କରି
ଜୀବନ ଶେଷେ ହାରିଲେ ।
ଧନ ଜନ ଯଉବନ କ୍ଷଣସ୍ଥାୟୀ
ତାକୁ ନେଇ ଗର୍ବ କାହିଁ
ନିମିଷେ ଭିତରେ ଚୂନା ହେଇ ଯାଏ
ପରାଭବ ଥାଏ ତହିଁ ।
ଆଜି କାଲି କେହି ଦେଖି ପାରନ୍ତି ନି
କେବେ କାହାର ତ ଶିରି
କେମିତି ସେ ପରାଭବକୁ ଭୋଗିବ
ଥାଆନ୍ତି ଚକ୍ରାନ୍ତ କରି ।
କୂଟ କପଟର ଛଳନା ଜାଲରେ
ଫସେଇ ସେ ଦେଇ ଥାନ୍ତି
ପରାଭବ ଯେବେ ହେଇଯାଏ ସିଏ
ମୁରୁକି ହସା ଦିଅନ୍ତି ।
ଓଡିଆରେ ଏକ ପ୍ରବାଦ ରହିଛି
ମରଣଠୁ ବେଶୀ ଲଜ୍ଜା
ଦହଗଞ୍ଜ କରି ମାରି ଖାଉ ଥାଏ
ଦିଏ ସିଏ ବଡ ସଜା ।
ପରାଭବ ଅପେକ୍ଷା ଜୀବନେ ମରଣ
ଶ୍ରେୟସ୍କର ହେଇଥାଏ
ସେଥିରେ ନିଜର ସ୍ୱାଭିମାନ ଆତ୍ମ
ସମ୍ମାନ ଯେ ବଢି ଥାଏ ।
ଜୟ ପରାଜୟ ଅବା ପରାଭବ
ଯାହା ଆସୁ ଜୀବନରେ
କାଳିଆ ପାଦରେ ଶରଣ ପଶିଣ
ଆଦରି ନେବା ସାଦରେ ।
ସାହା ହେଇଥିଲେ ପ୍ରଭୁ ଜଗନ୍ନାଥ
ନାହିଁ ଆମ କିଛି ଭୀତି
ମାଆର ପଣତ ରହିଛି ମଥାରେ
ପାଦରେ କୋଟି ପ୍ରଣତୀ ।