STORYMIRROR

ଫକୀର ପରିଡ଼ା

Romance Classics Fantasy

4  

ଫକୀର ପରିଡ଼ା

Romance Classics Fantasy

ପଞ୍ଜୁରୀ ଭିତରେ ସାରି

ପଞ୍ଜୁରୀ ଭିତରେ ସାରି

1 min
239

ମୋ ଝିଅ ପଞ୍ଜୁରୀରେ

ଶାରୀଟିଏ ପୋଷିଥିଲା

ବେଶି ଆଦର ସ୍ନେହ ଭିତରେ

କେଜାଣି କେମିତି ଚଢ଼େଇଟିର

ନାମ ହୋଇଗଲା କବିତା।


ବାହାରୁ କେହିବି ଘରେ ପଶିଲା ମାତ୍ରେ

ପକ୍ଷୀଟିକୁ କବିତା, କବିତା ଡ଼ାକି

ତାକୁ ଖୁବ୍ ଗୁରୁତ୍ଵ ଦେବାକୁ ଲାଗିଲେ।

ଏମିତିକି ମୁଁ ମଧ୍ୟ, ଯଦିଓ ମୁଁ ଘରେ

ଜନ୍ତୁ, ଜାନୁଆର୍ ପୋଷିବାର ବିରୋଧରେ।

ମଝିରେ ମଝିରେ ପକ୍ଷୀଟିର

ଚକଚକ କଳା ରଙ୍ଗ ଓ

ହଳଦିଆ ବୁଟିମାନ ଦେଖି

ହଠାତ କହି ପକାଉଥିଲି,

କିରେ କବିତା !

ମୋ ଡାକରେ ସେ ହଠାତ୍ ଚମକି ପଡ଼ି

ଥତମତ ହୋଇ କହୁଥଲା

“ଭଲପାଏ, ଭଲପାଏ ”।


ମୋର କଲେଜ୍ ପଢୁଆ ଝିଅଟି

ଖୁବ୍ ସମ୍ଭବ କବିତାକୁ ଶିଖାଇଛି

ଏଇ ଶବ୍ଦ ଗୁଡ଼ିକ

ଆଜିକାଲି କଲେଜ୍ ରେ ପଢୁଥିବା

ଝିଅଙ୍କୁ ଆଉ କଣ

ଜଣାଅଛି ଏହାଠୁ ଅଧିକ।

ଫଳରେ ପକ୍ଷୀଟିର ଦୈନନ୍ଦିନ

ଭାଷା ଭଲପାଏ, ଭଲପାଏ

ହୋଇ ପଡ଼ିଛି।ହଠାତ୍ ଦିନେ ମୋ ଝିଅର

ବିବାହ ହୋଇଗଲା,

ସେଇ ଭଲପାଇ ବିବାହ।

ଯିବା ବେଳେ ମୋ ପାଦ ଛୁଇଁ କହିଲା

“ବାପା, କବିତାକୁ ଖାଇବାକୁ ଦେବ

ସେ ତୁମ ପାଖରେ ରହିଲା

ତା ଦାୟିତ୍ବ ତୁମର।”


ମୁଁ ମୁହଁ ଖୋଲି ପାରିଲିନି କହି

ଏ ଆପଦଟିକୁ ସାଙ୍ଗରେ ନେଇ ଯା ମା ,

କିଏ ତାକୁ ଦାନା ପାଣି ଯୋଗାଇ

ବାଜେ କଥା ଶୁଣିବ?

ତୋ ମା ଥିଲେ କବିତାର ଯତ୍ନ

ନେଇ ପାରିଥାନ୍ତା ହୁଏତ,

ମୁଁ ତ ଏକେଲା ମଣିଷ।

କିନ୍ତୁ ସୁଖର ଆଶାରେ କ୍ରନ୍ଦନରତ

ମୋ ଝିଅର ବନାରସୀର ରଙ୍ଗୀନ

ଜାକଜମକରେ , ଅନ୍ୟ ସବୁ

କନ୍ୟା ପିତାଙ୍କ ପରି ମୁଁ ମଧ୍ୟ

ବାକ୍ ଶୁନ୍ୟ ହୋଇ

ଝିଅକୁ ଗାଡ଼ିରେ ଚଢାଇ ଦେଲି।


କିଛି ଦିନ ପରେ ଶ୍ବଶୁର ଘରୁ

ଝିଅର ଚିଠି ଆସିଲା,

“ବାପା, କବିତାକୁ ଉଡାଇଦିଅ

ପିଞ୍ଜୁରି ଖୋଲି,

ସେ କଣ ଏବେ ବି କହୁଛି

ଭଲପାଏ ବୋଲି?

ଏଠିକି ଆସିଲା ପରେ ବୁଝିପାରୁଛି

ତୁମ ଭଳି ବ୍ୟସ୍ତ ମଣିଷ ପକ୍ଷରେ

କବିତା ପାଇଁ ପ୍ରତିଦିନ ଖାଦ୍ୟ

ଯୋଗାଇବା କେତେ କଷ୍ଟକର।

ପକ୍ଷୀଟା ଖାଇବାକୁ ନପାଇ

ମରିଯିବା ପୂର୍ବରୁ,ତାକୁ ମୁକ୍ତି ଦିଅ,ବାପା

ତୁମକୁ ଏଇ ଅନୁରୋଧ ମୋର।”


ବୁଝିଲି,ବିବାହ ଝିଅଟିକୁ

ବୁଦ୍ଧିସୁଦ୍ଧି ଦେଇଛି

କିନ୍ତୁ କବିତାକୁ ବିଦାୟ

ଦେବାକୁ ଯାଇ

ମୁଁ ତ ଅବାକ୍!

ପଞ୍ଜୁରୀ ଭିତରେ ହିଁ ଉଡ଼ିବୁଲି

“ଭଲପାଏ, ଭଲପାଏ ” କହିବାକୁ ଲାଗିଲା।

ପିଞ୍ଜୁରୀ ଖୋଲାରଖି ଶୋଇଲି ରାତିରେ

କବିତା କିନ୍ତୁ ଗଲାନାହିଁ,

ରହିଲା ସେଇ ପଞ୍ଜୁରରେ।

ଆଉ ସେଇ ଗୋଟିଏ କଥା କହି ଚାଲିଲା,

‘ଭଲପାଏ, ଭଲପାଏ ’।

ମୁଁ ଏବେ ଦାସ ସେଇ ପଞ୍ଜୁରୀର

କବିତାକୁ ନେଇ କଣ କରିବି

ସେଇଟା ଜାଣିବା ନିହାତି ଦରକାର।


Rate this content
Log in

Similar oriya poem from Romance