ପଙ୍କଜ
ପଙ୍କଜ
ପଙ୍କରୁ ଜନମ ବୋଲି
ନାମ ତୁମ ପଙ୍କଜ ।
ସରୋବରେ ଶୋଭାପାଅ
ହେ ସୁନ୍ଦର ସରୋଜ ।
ତୁମର ଜନମ ମାଟି
ଯେଣୁ ଅଟଇ ପଙ୍କ ।
ତା ନାମକୁ ବସାଇଛ
ନିଜ ହୃଦ ପଲଙ୍କ ।
ତୁମ ନାମ ଆରମ୍ଭରେ
ପଙ୍କ ନାମ ରଖିଛ ।
ଜନମ ମାଟିକୁ ତାର
ସମ୍ମାନ ତ ଦେଇଛ ।
ସେଥି ପାଇଁ ବିଭୁ ପାଦେ
ଲଭିଛ ତ ଆସନ ।
ପାଦପଦ୍ମ ମକରନ୍ଦ
ଭକତ କରେ ପାନ ।
ପ୍ରଭୁ କରକମଳ ରେ
ତୁମ ବାସ ହୋଇଲା ।
ଶଙ୍ଖ, ଚକ୍ର, ଗଦା ସହ
ତୁମ ନାମ ରହିଲା ।
ପ୍ରଭୁଙ୍କ ମୁଖ ସହିତ
ତୁମ ନାମ ଶୋଭିଲା ।
ମୁଖ ଅରବିନ୍ଦ ବୋଲି
ଜଗତରେ ବ୍ୟାପିଲା ।
ନିଜ ନୟନରେ ବିଭୁ
ତୁମ ନାମ ଯୋଡିଲେ ।
କମଳନୟନ ନାମେ
ବିଖ୍ୟାତ ସେ ହୋଇଲେ ।
ବିଷ୍ଣୁପାଟରାଣୀଙ୍କର
ଲଭିଛ ତ ଆଶିଷ ।
ପଦ୍ମ ଉପରେ ବିରାଜି
ପଦ୍ମାଳୟା ସନ୍ତୋଷ ।
ଜନମ ମାଟିକୁ ଯେଣୁ
ଦେଲ ତୁମେ ସମ୍ମାନ ।
ଜଗତର ମାତା ପିତା
ତୁମକୁ ଦେଲେ ମାନ ।
ଜନନୀ ଜନମ ମାଟି
ସରଗ ଠୁ ମହାନ ।
ନିଜ ଜୀବନରେ ଏହା
କରିଛ ତ ପ୍ରମାଣ ।
ଆସ ହେ ଭାରତବାସୀ!
ପଙ୍କଜ ଠୁ ଶିଖିବା ।
ଭାରତୀୟ ବୋଲି କହି
ଆମେ ଗର୍ବ କରିବା ।
ଜନମ ମାଟିକୁ ଯିଏ
ଦିଏ ଯୋଗ୍ୟ ସମ୍ମାନ ।
ବିଭୁ କୃପା ଲାଭ କରି
ପାଏ ଉଚ୍ଚ ଆସନ ।
