STORYMIRROR

Sasmita Mohapatra

Abstract

2  

Sasmita Mohapatra

Abstract

ପଲ୍ଲୀ_ବିଳାପ

ପଲ୍ଲୀ_ବିଳାପ

1 min
3.1K

ମନେ ପଡେ ଆଜି ପଲ୍ଲୀ କଥା ମୋର

କିଶୋର କଳିକା ଅବୁଝା ଅନ୍ତର

ସାଙ୍ଗସାଥୀ ଆଉ ଭଉଣୀ ଓ ଭାଇ

ଗାଆଁ ଗୁରୁଜନ ଦଦେଇ ଦେଠେଇ

ସମସ୍ତଙ୍କ ସ୍ନେହ ମମତା ଡୋରରେ

ବିତିଛି ସମୟ ମଧୁ ମୁହୂର୍ତ୍ତରେ

ଖେଳ ସଙ୍ଗେ କେତେ କରି ବଣଭୋଜି

ଖୁସିରେ ଜୀବନ ଯାଉଥିଲା ମଜି

ଉଡିଯିବା ପାଇଁ ଅଜଣା ଆନନ୍ଦେ

ମନ ସବୁବେଳେ ବାହାନା ହିଁ ଖୋଜେ

ବୋଉ ହାତରନ୍ଧା ସୁସ୍ବାଦୁ ବ୍ୟଞ୍ଜନ

ଏବେ ବି ଝୁରୁଛି ସେ ଖାଦ୍ୟ ଏ ମନ

ଐଶ୍ୱର୍ଯ୍ୟ ଓ ଆଡମ୍ବର ବି ନ ଥାଇ

ତଥାପି ଶାନ୍ତିର ରାଜତ୍ଵ ଚାଲଇ

ନଡ଼ିଆ, ବଉଳ ଗଛ ଛାଇ ତଳେ

କେତେ ଖେଳ ଖେଳୁ କୁଆଁରୀ ବେଳରେ

ଗାଆଁ ମନ୍ଦିରର ଖୋଲା ଚଉତରା

ସନ୍ଧ୍ୟା ହେଲେ ଜମେ ଗପର ଆସରା

ଦୀପ ଜାଳି ପୁଣି ମନ୍ଦିର ବେଢାରେ

ଭୁଆସୁଣୀ ମନ ଉଲ୍ଲାସେ ଉତୁରେ

ଗାଆଁ ମୁଣ୍ଡେ ସେହି ଘଞ୍ଚ କେନ୍ଦୁବଣ

ଭୂତର ଆଶଙ୍କା ଉପୁଜଇ ପୁଣ

କେବେ ଏକାନ୍ତରେ ଘରମୁହାଁ ହୋଇ

ହନୁମାନ ଚାଳିଶାକୁ ଜପୁଥାଇ

ଦୂରେ ଦେଖି ମିଞ୍ଜି ଆଲୋକର ବତୀ

ହୃଦୟ ନଥାଏ ତୁଛା କେଉଁ ଭୀତି

ପୁଣି ଜାଗାଘରୁ ଭାସିଆସେ ସ୍ବର

ମୃଦଙ୍ଗ ଓ ଘଣ୍ଟାଘଣ୍ଟି ଆଦି ଜୋର

ମନ ବୁଣୁଥାଏ ଅନେକ ସପନ

ଭାବାନ୍ତରେ ହୁଏ ରାତି ସମାପନ

ପୁଣି ଦିନମଣି ଉଇଁ ଆସେ ଧୀରେ

ଗାଆଁ ବିଲବଣ ଡେଇଁ ଆନନ୍ଦରେ

ଶୋଇ ପଡିଥିବା ଗାଆଁ ଚେଇଁ ବସେ

ସ୍ବକାର୍ଯ୍ୟରେ ସର୍ବେ ଥାଆନ୍ତି ହରଷେ

ପଲ୍ଲୀ କଥା ମୋର ମନେଗଲା ପଡି

ବିଳାପ କରୁଛି ସେ କଥାକୁ ଭାଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract