ପଳାୟନପନ୍ଥୀ
ପଳାୟନପନ୍ଥୀ
ଅଚିହ୍ନା ସହର ଅଜବ ପ୍ରହର
ଲୋକ ହାଉଯାଉ ଏଠି
ଅଭିନୟେ ରଙ୍ଗା ମୁରୁକି ମହଙ୍ଗା
ଆପଣାର କାହିଁ କେଉଠି ?
ବ୍ୟସ୍ତ ବିବ୍ରତ ବ୍ୟଗ୍ର ଉତ୍ତେଜିତ
ସ୍ଵାର୍ଥନ୍ୱେଷୀ ଦୌଡ଼େ ହାଲିଆ
ନିଜ ଠାରୁ ନିଜେ ଦୂରେଇ ସହଜେ
ପର ପାଇଁ ମରେ ବାଇଶ ବାଗିଆ ।
ଉଦାସୀ ଆଖିରେ ଲୁହର ଛଳନା
ଦିଶିଯାଏ ବହୁବାର
ନାଲିଆ ଉଠରେ ପ୍ରେମ ବଦଳରେ
ପ୍ରତାରଣା କଦାକାର ।
ଅଜଣା ଅଶୁଣା ହିତୈଷୀ ମଣନ୍ତି
କଥା ମଲମରେ ଜିଣନ୍ତି
ଚିହ୍ନା ମୁଁହମାନେ ଚକ୍ରବ୍ୟୁହ ରଚି
ଠେଲି ପେଲି ଠୋ ଠୋ ହସନ୍ତି ।
ଆସିଥିଲି ଧାଇଁ ପରିଚୟ ପାଇଁ
ଅଜ୍ଞାତବାସର ସହର
ଆଲୋକମାଳାରେ ନିତି ଝଲମଲ
ଅନ୍ଧାରୀମୂଲକର ନଗର
ଗଗନଶ୍ଚୁମ୍ଭୀ ଅଟ୍ଟାଳିକାରେ ଡଉଳଡ଼ାଭଲ
ନାଟକ ନୌଟଙ୍କିର ପୁର ।
ଦୂରୁ ଦେଖିଥିଲି ସୁନ୍ଦର ପର୍ବତ ମୁଦ୍ରାରେ
ମଲାଟ ଦେଖି ଲଲାଟ ନ୍ୟାୟରେ
ଅପେରା ଗଣନାଟ୍ୟର ସହର
କୁଚୁଳା ଫଳ ପରି ମନୋହର ଉପର
ଭିତରେ କଳା କର୍ଦ୍ଦମାକ୍ତ ଜହର ।
ମଣିଷମାନେ ଦୈଡ଼ୁଛନ୍ତି ସଞ୍ଜ ସକାଳେ
କିଛି କାଗଜ ନୋଟ ଆଶାରେ
ଦଳେ ଧଳା ଧୋବଲିଆ ଭାଷାଣ ମାରୁଛନ୍ତି
କିଛି ଭୋଟ ସାଉଣ୍ଟିବା ଆଳରେ ।
ସମସ୍ତେ ସ୍ଵାର୍ଥନ୍ୱେଷୀ ଏକାନ୍ତବାସୀ
ନିଜେ ନିଜଠାରୁ ଛିନ୍ନ ବିଛିନ୍ନ ବିଭିନ୍ନ
ଆଖିରେ ଆଖି ମିଶିଗଲେ
ତଳକୁ ମୁଁହ କରି ଧୁଳିଆ ଜନ୍ଦା ପରି
ଉଦ୍ଭାନ ପଳାୟନ ପଳାୟନପନ୍ଥୀ ।
