ପିତା ମାତାଙ୍କୁ ଭୁଲ ନାହିଁ
ପିତା ମାତାଙ୍କୁ ଭୁଲ ନାହିଁ
ଆକାଶହୁଁ ବଡ଼ ପିତା ମାତା ବଡ଼ ପୃଥିବୀ ଅପେକ୍ଷା
ଧିକ ଧିକ ସେହି ପୁଅ ଯିଏ କରେ ଦୁହିଁଙ୍କୁ ଉପେକ୍ଷା ।
ପିତା ମାତା ପରା ସ୍ନେହ ସୋହାଗର ସୀମାହୀନ ସିନ୍ଧୁ
ମମତାର ଖରସ୍ରୋତା ସ୍ରୋତସ୍ୱିନୀ ହୃଦ-ନଭ-ଇନ୍ଦୁ ।
ଦଶ ମାସ ମାତା ଗର୍ଭେ ଧରି ସହି କଷ୍ଟ ଗୁରୁତର
ସ୍ତନଭାଙ୍ଗି ମୁଖେ କ୍ଷୀର ଦେଇ ପୁଷ୍ଟ କଲା କଳେବର ।
ନୟନ ପିତୁଳା ସ୍ନେହ ସୁଧାବୋଳା ମୋ ରଙ୍କରତନ
ଆହା ଗଣ୍ଠିଧନ ଅନ୍ଧର ଲଉଡ଼ି ଜୀବର ଜୀବନ ।
ନିଜେ ଉପବାସ ରହି ଭଲମନ୍ଦ ସାଇତେ ତା ପାଇଁ
ରତନ ପସରା ପ୍ରାୟେ ଦିବା ନିଶି କୋଳେଇ କାଖେଇ ।
ମାଆର ମମତା ଅମୂଲ ମୂଲ ଯେ ନୁହେଁ ଆକଳନ
କିଏ ଅଛି ପୁଅ ମାତା ଋଣଭାର ଶୁଝିବା ଭାଜନ ।
ପିତାଙ୍କର ଦିବ୍ୟ ସ୍ନେହ ଅନୁରାଗ ବାତ୍ସଲ୍ୟ ମମତା
ଆଖି ଲୁହ ଓଠେ ପିଇ କରେ ସୁତ ହିତର ବ୍ୟବସ୍ଥା ।
ଅସୁମାରୀ ସ୍ବପ୍ନ ଦେଖୁଥାନ୍ତି ଦୁହେଁ ସନ୍ତାନ ନିମିତ୍ତ
ମୁଣ୍ଡକୁ ତା ହାତ ପାଇଗଲା ପରେ ଭୁଲଇ ସମସ୍ତ ।
ଭାରିଜାକୁ ଧରି ଚାକିରୀ ଆଦରି ରହଇ ସହରେ
ପିତା ମାତା ଏଠି ସାହାହୀନ ହୋଇ ସଢ଼ନ୍ତି ଗାଆଁରେ ।
ଅସରା ଅସରା ଲୋତକ ଧାରାରେ ବକ୍ଷ ହୁଏ ସିକ୍ତ
ଛାତି ଯାଏ ଫାଟି କୋହ ଉଠେ ଫୁଟି ବୁଝିବ କେ କଷ୍ଟ ।
ଜୀବନଯାକର ଦୁହିଁଙ୍କ ମିହନ୍ତ ହୁଅଇ ବିଫଳ
କଳି ଯୁଗର ଏ ସଭ୍ୟ ଶିକ୍ଷିତଙ୍କ ଏମନ୍ତ ବିଚାର ।
ଯେପରି ବୁଣିବ ସେପରି କାଟିବ ବିଧିର ବିଧାନ
ଏପରି ସନ୍ତାନ ପାଇଁ ଧାତା ଖଞ୍ଜେ ଦାରୁଣ କଷଣ ।
ବେଳଥାଉ ବନ୍ଧ ବାନ୍ଧରେ କୃତଘ୍ନ ପିତୃ ମାତୃ ଦ୍ରୋହୀ
ତାଙ୍କ ଅସନ୍ତୋଷେ ଜଳିଯିବ ତୋର ସୁଖ ଶାନ୍ତି ଦେହୀ ।
ରୌରବ ନରକ ଭୋଗିବୁ ନିଶ୍ଚିତ ହୁଅ ସାବଧାନ
ଉଧାର ମାଣକ ତିନି ପା ନୋହିବ ମଣ ବେଦ ଜ୍ଞାନ ।
