ପିଲାଦିନ
ପିଲାଦିନ
କିଏ ଯଦିଆଣି ଧରାଇ ଦିଅନ୍ତା
ମୋ ପିଲାଦିନ ମୋ ହାତେ
କେତେ ଆନନ୍ଦରେ ଦିନ ଗୁଡିକୁ ମୁଁ
ବିତାଇ ଦିଅନ୍ତି ସତେ ।
ଧୂଳି ଘର ତୋଳି ଖେଳୁଥାନ୍ତି ଖେଳ
କରି ସାଙ୍ଗ ସାଥୀ ମେଳି
ନଡିଆ ସଢେଇ ଚୁଲିରେ ବସାଇ
ରାନ୍ଧୁଥାନ୍ତି ଭାତ ଡାଲି ।
ମିଛ ବାହାଘର କରୁଥାନ୍ତୁ ଆମେ
ସାଜିଣ କନିଆଁ ବର
ବାଲି ଭୋଜିରେ ଯେ ଆନନ୍ଦ ମିଳଇ
ନଥାଏ ସତ ଭୋଜିର ।
ପୁଚି ବହୁଚୋରୀ ଲୁଡୁ ଲୁଚକାଳି
ଖେଳିଥାନ୍ତି କେତେ ଖେଳ
ଗାଁ ପୋଖରୀରୁ ସାଙ୍ଗସାଥୀ ମେଳେ
ତୋଳିଥାନ୍ତି କଇଁଫୁଲ ।
ସରଳ ନିଷ୍ପାପ ପିଲାମନ ମୋର
ଛନ୍ଦ କପଟ ନ ଥାଏ
ସଭିଙ୍କୁ ଆପଣା ମନେ କରି ପୁଣି
ସମୟ ତ ଚାଲିଯାଏ ।
ବଡ ହେଲି ଯେବେ ଏ ସବୁଥିରୁ ମୁଁ
ନିବୃତ୍ତ ହୋଇ ରହିଛି
ଆରେ ପିଲା ଦିନ ମନେ ମନେ କେତେ
ଝୁରି ତୋତେ ହେଉଅଛି ।
ବାପା ବୋଉଙ୍କର ଆକଟ ନଥାଏ
ନଥାଏ ଅଜଣା ଭୟ ।
ବଡ ହେଲି ଯେବେ ତାଙ୍କ ଚିନ୍ତା ବଢେ
ରଖନ୍ତି ମୋ ଠାରେ ଲୟ ।
ସମୟ ସୁଅରେ ଭାସି ଯାଇ ଅଛି
ମୋର ସେହି ପିଲାଦିନ
ଚିର ଅଭୁଲା ସେ ଚିର ସ୍ମରଣୀୟ
ଝୁରୁଛି ନିତି ଏ ମନ ।
