STORYMIRROR

Shantilata Rath

Others

3  

Shantilata Rath

Others

ସାବିତ୍ରୀ ବ୍ରତର ମାହାତ୍ମ୍ଯ

ସାବିତ୍ରୀ ବ୍ରତର ମାହାତ୍ମ୍ଯ

1 min
220


ଏ ସାବିତ୍ରୀ ବ୍ରତ ସୁଖ ଓ ଶାନ୍ତିର 

ବାର୍ତ୍ତା ଧରି ଆସିଥାଏ

ସ୍ୱାମୀ ସ୍ତ୍ରୀଙ୍କର ମଧୁର ସମ୍ପର୍କ 

ମଧୁରତର କରାଏ ।

ନୂଆ ଶାଢ଼ୀ ପିନ୍ଧି ଫଳମୂଳ ପୂଜା

ମୁଖ୍ୟ ଉଦ୍ଦେଶ୍ୟ ନୁହଁଇ

ନାରୀ ପାଇଁ ତାର ପରିବାର ବଡ 

ଏହି ଶିକ୍ଷା ମିଳିଥାଇ ।

ସ୍ୱାମୀ ସୁଖେ ସୁଖୀ ସ୍ୱାମୀ ଦୁଃଖେ ଦୁଃଖୀ 

ବିଦ୍ୱେଷ ମନେ ନଥାଏ 

ଅନ୍ଧାରରେ ସିଏ ଆଲୋକ ଭରଇ

ନାରୀ ନାରାୟଣୀ ସିଏ ।

ଯେମିତି ସାବିତ୍ରୀ ସଭିଙ୍କ ମଙ୍ଗଳ 

ପାଇଁ ବର ମାଗିଥିଲେ 

ଦୁହିତା ଅଟଇ ଦୁଇ କୁଳ ହିତା

ପ୍ରମାଣ କରିଣ ଗଲେ ।

ଶ୍ୱଶୁରଙ୍କୁ ମିଳୁ ହରାଇବା ରାଜ୍ୟ 


ଫେରିଆସୁ ଦୃଷ୍ଟି ଶକ୍ତି 

ପିତାଙ୍କୁ ମୋହର ଶତପୁତ୍ର ଦିଅ

ମାଗୁଛି ହେ ଜନ୍ତୁପତି ।

ସାବିତ୍ରୀ ଚାତୁର୍ଯ୍ୟ ସତୀତ୍ୱ ନିଷ୍ଠାରେ

ଯମ ରାଜାଙ୍କୁ ଜିତିଲେ

ସବୁ ଦିନ ପାଇଁ ନାରୀ ସମାଜର

ଦର୍ପଣ ହୋଇ ରହିଲେ ।

ଏ ବ୍ରତ ମୂଳରେ ନିହିତ ରହିଛି 

ନାରୀର ଆଦର୍ଶ ମାନ

ଯାକୁ ନେଇ ନାରୀ ପୂଜ୍ୟା ହୋଇଥାଏ 

ଦୁଇ କୁଳକୁ ମହାନ ।

ମନ,ବଚନ ଓ କରମରେ ନିଷ୍ଠା 

ଯେଉଁ ନାରୀ ରଖିଥାଏ 

ଦୁଇ କୁଳକୁ ସେ ଉଦ୍ଧାର କରିବ

ଏ କଥା ଅନ୍ୟଥା ନୁହେଁ ।

ନିଷ୍ଠା ପରାକାଷ୍ଠା ସତୀତ୍ୱ ବଳରେ

ଅସାଧ୍ୟ ସାଧନ ହେବ 

ସର୍ବ ଶକ୍ତିମୟୀ ଅଟେ ବୋଲି ନାରୀ

ସଂସାରେ ଦେଖାଇ ଦେବ ।

ନାରୀ ଗୃହଲକ୍ଷ୍ମୀ ନାରୀ ସର୍ବସଂହା

ନାରୀ ତ ଘରର ଶିରୀ

ସରଗକୁ ନର୍କ ନର୍କକୁ ସରଗ

କରିପାରେ ଏକା ନାରୀ ।

ସାବିତ୍ରୀଙ୍କ ତ୍ୟାଗ ସବୁଦିନ ପାଇଁ 

ନାରୀଙ୍କୁ ଶିଖାଇ ଗଲେ

ଇତିହାସ ବକ୍ଷେ ସ୍ୱର୍ଣ୍ଣାକ୍ଷରେ ନାମ

ଚିରକାଳ ଲେଖିଦେଲେ ।

ଆଜିକାଲି କିନ୍ତୁ ଏ ସାବିତ୍ରୀ ବ୍ରତ 

ପ୍ରହସନ ପାଲଟିଛି 

ଭକ୍ତି ଭାବ ଠାରୁ ବାହ୍ୟ ଆଡମ୍ବର 

ଦେଖିବାକୁ ମିଳୁଅଛି ।



Rate this content
Log in