ତୁମ ହାତେ ସବୁ ଅଛି
ତୁମ ହାତେ ସବୁ ଅଛି
ଯେଉଁ ଦିନ ଠାରୁ ମନ ଦେହ ମୋର
କରିଅଛି ସମର୍ପଣ
ସେହି ଦିନ ଠାରୁ ମୋ କଥା ଭାବିନି
କେବେ ଦିନେ ନାରାୟଣ ।
ଦୁଃଖ କି ସୁଖ ମୋ ପଛରେ ପଡିଛି
କରି ନାହିଁ କ୍ଷଣେ ଚିନ୍ତା
ଏତିକି ଜାଣିଛି ମୋ ପାଇଁ ଅଛନ୍ତି
ଜଗତ ପାଳନ କର୍ତ୍ତା ।
ଆଶା ବାନ୍ଧିଛି ମୁଁ ମୋ ପାଇଁ ପ୍ରଭୁହେ
ତୁମେହିଁ ଭଲ କରିବ
ଚରଣାଶ୍ରିତକୁ ଦୟା ନ କରିଲେ
ତୁମକୁ ନିନ୍ଦା ହୋଇବ ।
ତୁମେ ମୋର ବଳ ତୁମେ ମୋର ଦମ୍ଭ
ତୁମେ ମୋ ସାହା ଭରସା
ତୁମ ବିନା ଆଉ କୁହ ମହାବାହୁ
କାହାକୁ କରିବି ଆଶ୍ରା ।
ମୋ ଜୀବନ ରଥେ ତୁମକୁ ସାରଥି
କରି ସାରିଛି ମୁଁ ଯେବେ
ମୋ ଠାରୁ ଦୂରେଇ ଯାଇ ପାରିବ କି
କୁହ ପ୍ରଭୁ ତୁମେ କେବେ ।
ମଲା ଯାଏ ମୋର ପାଶେ ରହିଥିବ
ବିଶ୍ବାସରେ ମୁଁ ବଞ୍ଚିଛି
ତୁମରି ଦୟାରେ ଦିନ ଗୁଡିକ ମୋ
ଶୁଭରେ ବିତି ଯାଉଛି ।
ଜଗତର ନାଥ ଆହେ ଜଗନ୍ନାଥ
ଏତିକି ଦୟା କରିବ
ଜୀବ ଗଲାବେଳେ ତୁମ ଦିବ୍ୟ ରୂପ
ଥରେ ମୋ ନେତ୍ର ଦେଖିବ ।
ପାପ ପୁଣ୍ୟ ମୋର ବିଚାର ନକରି
ବଡ ଆଶା ମୁଁ କରିଛି
ଦୟା ପାଇବି କି ଦଣ୍ଡ ମୁଁ ପାଇବି
ତୁମ ହାତେ ସବୁ ଅଛି ।
