ବଡେଇ କାହିଁକି କର
ବଡେଇ କାହିଁକି କର
ଅଢେଇ ଦିନିଆ ମଣିଷ ଜୀବନ
ବଢେଇ କାହିଁକି କର
ଥିବା ଯାଏ ପ୍ରାଣ କେତେ ଆଣ୍ଟ କର
ପ୍ରାଣ ବି ନୁହଁ ତୁମର ।
ପ୍ରାଣଟା ବି ନାହିଁ ନିଜ ଆୟତ୍ତରେ
କାଳର ସେ କରାୟତ୍ତ
ପିଣ୍ଡରୁ ପରାଣ କେତେବେଳେ ଯିବ
କିଏ ଜାଣିଛି କହ ତ ?
ମୋର ମୋର ବୋଲି କହି ହେଉଥାଉ
କହ କେଉଁଟା ତୋହର
ମଲାବେଳେ ସଙ୍ଗେ ନେଇ ଯିବୁ ତାକୁ
ଯେଉଁଟା ତୋ ଆପଣାର ।
ଯେତେ ସଞ୍ଚିଅଛୁ କିଛି ବି ନ ନେଇ
ଖାଲି ହାତେ ଚାଲି ଯିବୁ
ଆସିଲା ବେଳେତ କିଛି ଆଣିନାହୁଁ
ଗଲାବେଳେ କାହୁଁ ନେବୁ ।
ସତ୍ୟ, ଧର୍ମ, ନ୍ୟାୟ ପୂଣ୍ୟ ଯା କରିଛୁ
ସେହି ଯିବେ ତୋ ସଙ୍ଗରେ
ଧନ ଆଉ ତୋର ଆତ୍ମୀୟ ସ୍ଵଜନ
ରହିବେ ତୋ ଠାରୁ ଦୂରେ ।
ମୃତ୍ୟୁ ପରେ ସବୁ ଆଡ ହୋଇଯିବେ
ଧୀରେ ଧୀରେ ଭୁଲି ଯିବେ
କହ ତାହାହେଲେ ଏହି ଦୁନିଆରୁ
କିଏ ବା କଣ ନେବେ ?
ଆଖି ବୁଜିଦେଲେ କେ ନୁହେଁ କାହାର
ସବୁ ହେବେ ସାତପର
ଶବ ବୋଲି ତୋତେ ଛୁଇଁ ଗାଧୋଇବେ
ଯେତେ ତୋର ଆପଣାର ।
ତେଣୁ ମନ ତୋତେ କହୁଛି ବୁଝାଇ
ହରି ନାମ ତୁଣ୍ଡେ ଧର
ଲୋଭ,ମୋହ ଛାଡି ସୁପଥରେ ଯାଇ
ଭବାର୍ଣ୍ଣବ ହୁଅ ପାର ।
