ଫୁଲକଢ଼ିର ସ୍ବପ୍ନ
ଫୁଲକଢ଼ିର ସ୍ବପ୍ନ
ଫୁଲକଢି ଭାବିଥିଲା
ଦିନେ ସିଏ ଫୁଟିବ
ସପନ ବି ଦେଖିଥିଲା
ଫୁଲ ହୋଇ ବାସିବ l
ଦୁନିଆକୁ ଆସିବ ସେ
କେତେ ରଙ୍ଗ ଆଣିବ
ପ୍ରଜାପତି ସଙ୍ଗେ କେତେ
ମଉଜ ସେ କରିବ l
ନୂଆ ନୂଆ ଫୁଲ ସହ
ମନ କଥା ବାଣ୍ଟିବ
ଖିଲି ଖିଲି ହସରେ ତା
ସବୁ ମନ ଜିଣିବ l
ମନେ ତାର କେତେ ଆଶା
ଆଉ କେତେ ସପନ
କେବେ ସତ ହେବ ଦିନେ
ବ୍ୟଗ୍ର ହୁଏ ତା ମନ l
କିଏ ଜାଣେ କିଏ ସିଏ
ମୁଖା ପିନ୍ଧି ଆସଇ
ଅଵିଵେକୀ ହୋଇଣ ସେ
ବେଗେ ଦେଲା ଛିଣ୍ଡାଇ l
ହାତେ ତାର ମୋଡ଼ି ଦେଇ
ପାଦେ ଦେଲା ଚକଟି
ଫୁଲକଢ଼ି ମରିଗଲା
ସରିଲା ତାର କଥାଟି l
ଫୁଟିବା ଆଗରୁ ସିଏ
ଭସ୍ମ ହୋଇଗଲା
ପାପୀ କେଡ଼େ ନିଦାରୁଣ
ଜୀବନ ସେ ନେଲା l
ଦୁନିଆରେ ଯଦି ସବୁ
କଢି ମରିଯିବେ
କେମନ୍ତ ଏ କଥା କୁହ
ଭାବିବ ନିଶ୍ଚୟେ?
ଦିନେ ଏ ସବୁଜ ଧରା
ଧ୍ବଂସ ହୋଇଯିବ
ନରକ ହୋଇବ ଜାଣ
କିଛି ନ ରହିବ l