STORYMIRROR

Pratima Panda

Abstract

3  

Pratima Panda

Abstract

ଫୁଲେଇ ବର୍ଷା

ଫୁଲେଇ ବର୍ଷା

1 min
46


ଏଇ ଗୋଧୂଳି ବେଳାରେ

ବାତାୟନ ସେପାଖେ

କିଏ ସେଇ?

କିଏ ସେଇ ସୁନ୍ଦରୀ ତରୁଣୀ ??

ହାତ ଠାରି କେବେ ଡାକେ

କେବେ ପୁଣି ଲୁଚିଯାଏ

ପାଦ ଚିପି କେବେ ଆସି

ଧ୍ୟାନଭଗ୍ନ କରିଯାଏ

ଆଉ କେବେ ପୁଣି

ରୁମ୍ ଝୁମ୍ ପାଉଁଜି ବଜେଇ

ଲୀନ ହୋଇଯାଏ 

ଦୂର ଦିଗବଳୟେ

ଉଛୁଳିଯାଏ ଯେବେ ତା

ଉଛୁଳା ସରସୀ ଯୌବନ

ଜଳ ବି ହେଉଥାଏ 

ବାରବାର ଦହନ

ଘନକୃଷ୍ଣ ମୁକୁଳିତ କେଶ

ମନେ ସୃଷ୍ଟିକରେ ରାତ୍ରିର ଭ୍ରମ

ବିଜୁଳି ବି ଈର୍ଷାନ୍ୱିତ ହୋଇ

ଉଚ୍ଚାଟନ କରେ

କରି ତାର ଅପରୂପ 

ସୌନ୍ଦର୍ଯ୍ୟ ଦର୍ଶନ ।


ମୁଁ କିନ୍ତୁ ଝରକା ଏପାଖେ 

ଚାହିଁଥାଏ କେବଳ ତାକୁ

ଚିହ୍ନା ଚିହ୍ନା ମୁହଁ ତାର

ତେଣୁ ମୁଁ ଚେଷ୍ଟା କରୁଥାଏ

 ଚିହ୍ନିବାକୁ

ସିଏ ବୋଧେ.....

ସିଏ ବୋଧେ ମୋ

ପିଲାଦିନ ସାଥି 

ବର୍ଷା ! ହଁ ହଁ ବର୍ଷା !

ତା ଆସିବାର ଟିପ୍ ଟିପ୍

ଶବ୍ଦରେ ମୁଁ ଦୌଡିଯାଇ

କେତେଥର ଆଣ୍ଠୁ ନ ଫଟେଇଛି

ଫର୍ଦ୍ଦ ଫର୍ଦ୍ଦ କରି

ରଫ୍ ଖାତାରୁ କାଗଜ ଚିରି

କେତେ କାଗଜଡଙ୍ଗା

ତା ସହ ମୁଁ ନ ଭସେଇଛି

କେତେ ଶ୍ରାବଣରେ

ଘୁଙ୍ଗୁର ପିନ୍ଧି,

ତା ତାଳରେ ତାଳ ମିଶାଇ

ନୃତ୍ୟକରିବାରେ ମୁଁ 

ବିଭୋର ନ ହୋଇଛି

ସତରେ ବର୍ଷା !

ତତେ କେତେ ଭଲ ମୁଁ ନ ପାଇଛି??


ମାଁ କିନ୍ତୁ ତାକୁ 

ବହୁତ ରାଗେ

ସିଏ ଆସିଲେ 

କବାଟ କିଳି ଦିଏ

ମାଁ କହେ

"ସେ ଖୁବ୍ ଚଗଲି"

ମୁଁ କହେ

"ଚଗଲି ତ ନୁହେଁ ଚୁଲବୁଲି"

ବାରମ୍ବାର ବାରଣକରେ ମତେ

ତା ସହ ସାଙ୍ଗ ନହେବାକୁ

ଦିନେ ତ ମାଁ ମତେ 

ଘରେ ବନ୍ଦ କରିଦେଇ କହିଲା

ପିଲାଳିଆମି ମୁଁ ଛାଡିଦେବି

ମୁଁ କାଳେ ବଡ ହୋଇଗଲିଣି

ମତେ ବି ଭାରି ଖରାପ ଲାଗେ

ବର୍ଷା ପ୍ରତି ମାଁ ର 

ଅନାଦର ଦେଖି

ତେଣୁ କହିଦେଲି ବର୍ଷାକୁ

ତୁ ଆଉ ଆସିବୁନି

ମୋ ଘର ଅଗଣାକୁ 


ସେଇଦିନୁ ଫୁଲେଇ ବର୍ଷା

ମୋ ସହ କଟି ପକେଇ

ଯାଇଥିଲା ଯେ..

ଲେଉଟିଛି ଆଜି

ପ୍ରିୟ ବାନ୍ଧବି ସାଜି

ସୁଖ ଦୁଃଖର 

ସୌଦା କରିବାକୁ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract