STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଫୁଲ ବିକାଳୀ

ଫୁଲ ବିକାଳୀ

1 min
276


ବାପା ମୋର ଫଙ୍ଗୁ ମାଆଟି ରୋଗିଣା

ମୁଁ ତାଙ୍କ ଶ୍ରବଣ କୁମାର

ଅତି ସୁକୁମାରୀ ଅଲିଅଳି ଥିଲି

ଫଟା କପାଳଟି ମୋହର।


ଫୁଲ ଫେରି କରି ବିକିବା ବେଉସା

"ରୁପା" ଫୁଲ ବାଲି ନାଁ ମୋର

ବାବୁଆଣୀଙ୍କ ଚିକିମିକି ଶାଢ଼ୀ ଖଣ୍ଡେ

ଲାଜ ଲୁଚାଉଛି ମୋର।


ରଙ୍ଗ ବେରଙ୍ଗର ଫୁଲତୋଳି ଆଣି

ଯତନେ ଗୁନ୍ଥଇ ମାଳ

ମନ୍ଦିରେ ଛକରେ ବସି ବିକୁ ଥାଇ

ଗ୍ରାହକ ଈଶ୍ୱର ମୋର।

 

ଅଧିକ ବିକିରି ହୁଏ ଯେଉଁ ଦିନ

ମୋ ମୁହେଁ ଉକୁଟେ ଖୁସି

ଯେଉଁ ଦିନ ଫୁଲ ନ ହୁଏ ବିକିରି

ହାଇ ମାରେ ବସି ବସି।


ଅସହାୟ ରୋଗିଣା ବାପା ମାଆ

 ଚାତକ ପରି ମୋ ବାଟ

ଅନାଇଁ ଥାଆନ୍ତି ଆକୁଳ ଅନ୍ତରେ

ଭୋକେ ଜଳୁଥାଏ ପେଟ।


ବାପା କରୁଥିଲେ କମ୍ପାନୀ ଚାକିରି

ଖୁସିରେ ବିତୁଥିଲା ଦିନ

ମୋ ପାଦତଳେ ଢାଳି ଦେଉଥିଲେ

ଦୁନିଆଁର ଖୁସି ଜାଣ।


କଳେ କଟି ଗଲା ବାପାଙ୍କର ହାତ

ଦୁନିଆଁ ହେଲା ଅନ୍ଧାର

ମା ଶ୍ରମେ ବଞ୍ଚୁଥିଲୁ ଦୁଃଖକଷ୍ଟରେ

ନଷ୍ଟ ହେଲା ଆଖି ତାର।


କଣ୍ଢେଇ ରୁପା ମୁଁ ଥିଲି ଅତିଗେହ୍ଲା

ପାଠରେ ବାନ୍ଧିଲି ଡୋର

ତିନି ପେଟ ପାଇଁ ଫୁଲ ବାଲି ହୋଇ

ପୋଷୁଛି ଆମ ସଂସାର।


ଛୋଟ ଥିଲି ଭଲ ଥିଲି ଏବେ 

ବୟସ ହୋଇଛି କାଳ

ଗରିବ ଝିଅ ସଭିଙ୍କ ଶାଳୀ ହୁଏ

 ଭୋକିଲା ଆଖି ଶିକାର।


କେହି ଟାହି କରେ କିଏ ଟିପ ମାରେ

ତଥାପି ମୁଁ ଏକା ଏକା

ପିତା ମାତା ମୋର ଚଳନ୍ତି ଠାକୁର

ଜଗନ୍ନାଥ ମୋର ସଖା।


ଏଇ ଏଇ ମୋତେ ଅଠର ପୁରିଛି

ଆମ ଗାଁ ସନା ଭାଇ

ମୋ ବାପା ମାଙ୍କୁ ହାତ ମୋ ମାଗିଛି

 ବୋହୁ କରି ନେବାପାଇଁ।


ନିରାଶ ଅନ୍ଧାରେ ଆଶାର ଆଲୁଅ

ମୋତେ ଦିଏ ଟିକେ ରାହା

ମୋ ବାପା ମା ସହ ମୋ ଜିମା ନେଇ

ସନା ଭାଇ ହେବ ସାହା।


ଏଇ କଥା ଭାବି ମନ ଆକାଶେ 

 ମୋ ପୁନେଇଁ ଚାନ୍ଦ ଉଅଇଁ

ଲାଜୁଆ ଲାଜୁଆ ଆଖି ଦୁଇ ମୋର

ସପନେ ଖାଲି ହଜଇ।


ସନା ଭାଇ କଥା ଭାବି ଦେଲା କ୍ଷଣି

ମନେ ମନେ ଦିଏ ହସି

ଫୁଲମାଳ, ଫୁଲ ଟୋକେଇ,ସବୁରେ

ସନାଭାଇ ଯାଏ ଦିଶି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy