ପହଲଗାମର ନର ସଂହାର
ପହଲଗାମର ନର ସଂହାର
ଭୂସ୍ବର୍ଗ କାଶ୍ମିରୀ ପ୍ରକୃତିର ଶିରୀ
କାନ୍ତି ମୁଗ୍ଧତା ର ତୃପ୍ତି ଭଣ୍ଡାର
ସ୍ନିଗ୍ଧ ବୁକୁପରେ ସୁଷମା ଖଚିତ
ପର୍ଯ୍ୟଟନ ସ୍ଥଳୀ କି ମନୋହର ।
ତା ମନ୍ମୟ ରୂପ ହରେ ସବୁ ଦୁଃଖ
ଶ୍ରାନ୍ତ କ୍ଳାନ୍ତ ମନେ ଭରେ ହରଷ
ସେଇ ମାଟି ଆଜି ରକ୍ତରେ ରଞ୍ଜିତ
ବୁକୁରେ ବୁକୁଏ ତା ଅସନ୍ତୋଷ ।
ପହଲଗାମ କି ଭାବିଥିଲା ମନେ
ତା ମନ୍ତ୍ର ମୁଗ୍ଧତା ସ୍ତବ୍ଧ ହୋଇବ
ତା ସୁଷମା କୋଳେ ହିଂସା ଦାବାନଳେ
ନରସଂହାରର ଆବାଜ ହେବ ।
ପର୍ଯ୍ୟଟନ ଖୁସୀ ସାଉଁଟୁ ସାଉଁଟୁ
ଧର୍ମ ନାମେ ହେଲା ନର ସଂହାର
କେଉଁ ଧର୍ମର ଏ ଧାର୍ମିକ ଚେତନା
କୋରାନ୍ କୁହେ କି ଭାବ ହେ ନର ।
କେଉଁ ଧରମର ମୂଳକଥା କୁହ
ନର ସଂହାର ବା ଆତଙ୍କବାଦ
ସବୁ ଧରମର ଅସ୍ତିତ୍ବରେ ଲେଖା
ମାନବବାଦର ଅମୂଲ୍ୟ ବେଦ ।
ସ୍ନିଗ୍ଧ ସୁଶୀତଳ ସୌନ୍ଦର୍ଯ୍ୟ ମଣ୍ଡିତ
ଭୂସ୍ବର୍ଗେ ଶୁଭିଲା ବନ୍ଧୁକ ଶବ୍ଦ
ସ୍ତବ୍ଧ କରିଦେଇ ଗୁଳି ଛୁଟି ଗଲା
ନାରୀହ ଜନତା ମନରେ ଖେଦ ।
ଭୂସ୍ବର୍ଗ ହୋଇଲା ଯାତନାର ସ୍ଥଳ
ଯାଚ଼ନା ର ହେଲା ରକ୍ତ ସମାଧୀ
ମଥା ଶୂନ୍ୟ ହେଲା ବାହୁଟି ଯେ ଖାଲି
ଲିଭି ନ ଥିଲା ତା ହାତୁ ମେହେନ୍ଦୀ ।
ଆତଙ୍କି ବାରୁଦେ ସିନ୍ଦୁର ଲିଭିଲା
ଧୂଆଁରେ ହଜିଲା ସାଇତା ସ୍ବପ୍ନ
ନୂତନ ଜୀବନ ଆରମ୍ଭ ପୂର୍ବରୁ
ସବୁ ସ୍ବପ୍ନ ହୋଇଗଲା ଦୁଃସ୍ବପ୍ନ |
ରକ୍ତ ଜୁଡୁ ବୁଡୁ ଶରୀରୁ ଖୋଜଇ
ସପନରେ ବନ୍ଧା ପ୍ରୀତି କୋଥଳି
ଜୀବନ ଜିଜ୍ଞାସା ବାହୁନି କାନ୍ଦୁଛି
ଶୁଖି ପଡ଼ିଅଛି ପ୍ରେମର କଳି |
ଆତଙ୍କର କଳାବାଦଲ ଘେରିଲା
ହିନ୍ଦୁ ନୁହେଁ ହିନ୍ଦୁସ୍ତାନୀ ନିହତ
ନର ସଂହାରରେ ସାଜାଦ୍ ବୀରତା
ହୋଇଗଲା ବୀରଗତି ପ୍ରାପତ ।
ପହଲଗାମର ସୌନ୍ଦର୍ଯ୍ୟ କୋଳରେ
ବାହୁନି କାନ୍ଦୁଛି ଲଳନା ବସି
ଶିଶୁ ଖୋଜୁ ଅଛି ତା ପିତାର କୋଳ
କିଏ ବୁଝାଇବ କୁହ ବା ଆସି ।
ସ୍ତବ୍ଧ ହୋଇଗଲା ଭୂସ୍ବର୍ଗର ସୁଖ
ରକ୍ତରେ ରଞ୍ଜିତ ହେଲା ତା ମାଟି
ମାନସିକତା ର ଭୂସ୍ଖଳନ ସତେ
ହରି ନେଇଗଲା ଖୁସୀ ସାଉଁଟି ।
ପହଲଗାମର ପ୍ରୀତିଭରା ବୁକେ
ଲୁହର ଲହଡ଼ି ଖେଳି ଯେ ଗଲା
ଅନେକ ପ୍ରଶ୍ନ ଯେ ଛନ୍ଦା ଛନ୍ଦି ହୋଇ
ଜଉ ଘରେ ସତେ ମନ ଜଳିଲା ।
ସୀମନ୍ତ ସିନ୍ଦୁର କ୍ଷଣିକେ ଲିଭିଲା
ଅଭିଳାଷା ନେଲା ବିଧବା ବେଶ
ପୁତ୍ରର ମୁଣ୍ଡରେ ପିତା ହାତ ନାହିଁ
ଚାଲି ଯାଇଅଛି ମୃତ୍ୟୁର ଦେଶ ।
ଦେବଭୂମି ଆଜି ଆତଙ୍କି ପରଶେ
ରକ୍ତରେ ରଞ୍ଜିତ ହୋଇଲା ମାଟି
ଖୁସୀ ଲହରୀରେ ସତେ କି ସୁନାମି
ଶୂନ୍ୟ କରିଦେଲା ଆନନ୍ଦ କୋଠି |
ମନୁଷ୍ୟତ୍ୱ ହୀନ ଏ ଆତଙ୍କି ମାଡ
ବିଲୁପ୍ତ କର ହେ କଳା ଠାକୁର
ହିନ୍ଦୁସ୍ତାନ ମୋର ଦେବଭୂମି ରହୁ
କେବେ ବି ନ ହେଉ ନରସଂହାର ।
ଏ ନରସଂହାର କାହିଁପାଇଁ କୁହ
ଉତ୍ତର ଖୋଜୁଛି ପହଲଗାମ
କି ଲାଭ ମିଳିଲା ନରହନ୍ତା କୁହ
ନୁହଁ କି ମଣିଷ ହେ ନରାଧାମ ।
ହେ ନରସଂହାରୀ ସାହସ ଅଛି ତ
ଏ ପ୍ରଶ୍ନ ଉତ୍ତର ସଠିକେ ଦିଅ
ତୁମ ଧର୍ମଶାସ୍ତ୍ର ଓଲଟାଇ ଥରେ
ନିର୍ଯ୍ୟାସ ତାହାର ଅନ୍ତରେ ନିଅ ।
ନିର୍ଯ୍ୟାସ ତ ସମ ଭାବ ଅନୁପମ
ମନୋଚେତନାରେ ରହିଛି ତ୍ରୁଟି
ଥରେ ଭାବି ଦେଖ ହେ ନରସଂହାରୀ
କି ଲାଭରେ ତୁମ ପୁରିଲା ଅଣ୍ଟି ।
ସରୋଜିନୀ ମିଶ୍ର
ସତ୍ୟବାଦୀ, ପୁରୀ
