ଫିକା ଫିକା ଲାଗେ ରଜ
ଫିକା ଫିକା ଲାଗେ ରଜ


ମନେ ପଡେ ଆଜି ପିଲାଦିନର ସେ
ରଜ ମଉଜର କଥା
ସମୟ ସ୍ରୋତରେ ବଦଳି ଗଲାଣି
ପର୍ବ ପାଳନର ପ୍ରଥା॥୧॥
ପିଲାଦିନେ ଯାହା ଥିଲି ମୁଁ ତ ଏବେ
ସେଇପରି ଆଉ ନାହିଁ
ସେକାଳର ପ୍ରଥା ଏବେ ମୁଁ ଖୋଜିଲେ
ସେ ସବୁ ମିଳିବ କାହିଁ॥୨॥
ଗାଆଁ ବରଗଛ ଡାଳେ ଲାଗୁଥିଲା
କେତେ ଯେ ବାଉଁଶ ଦୋଳି
ଗାଆଁ ଝିଅମାନେ ଦୋଳି ଖେଳୁଥିଲେ
ହୋଇ ସେଠି ମେଳି ମେଳି॥୩॥
ତାଆସ ପଶାର ଖେଳ ଚାଲୁଥିଲା
ଗାଆଁ ଚଉତରା ପରେ
ଗାଆଁର ବରିଷ୍ଟ ବ୍ୟକ୍ତିମାନେ ତହିଁ
ଖେଳୁଥିଲେ ଆନନ୍ଦରେ॥୪॥
କବାଡି ବାଗୁଡି ବୋହୂଚୋରୀ ସହ
ଅନେକ ପ୍ରକାର ଖେଳ
କିଶୋର କିଶୋରୀ ନିଜ ନିଜ ମଧ୍ୟେ
ଖେଳୁଥିଲେ ହୋଇ ମେଳ॥୫॥
ପ୍ରତି ଘରେ ପୋଡପିଠା ସହ କେତେ
ଖାଇବା ଦରବ ମାନ
ଘରର ଘରଣୀ କରୁଥିଲା ଘରେ
ରଖି ଅତିଥିଙ୍କ ଧ୍ୟାନ॥୬॥
ନାନା ପ୍ରକାରର ମସଲା ମସଲି
ଦେଇ ଭାଙ୍ଗି ରଜ ପାନ
ସାଙ୍ଗ ସାଥୀ ଆଉ ଅତିଥି ମାନଙ୍କୁ
ଦେଇ ତୋଷୁଥିଲେ ମନ॥୭॥
ମାଆ ବସୁମତୀ ଏହି ସମୟରେ
ହୋଇଥାନ୍ତି ରଜବତୀ
ସେଥିପାଇଁ ଜମି ହଳ ନକରିବା
ପାଇଁ ଥିଲା ରିତିନୀତି॥୮॥
କୁମାରୀ ଯୁବତୀ ବ୍ରାହ୍ମ ମୁହୂର୍ତରୁ
ସ୍ନାନ ଆଦି କର୍ମ ସାରି
ନବ ଆଭୂଷଣ ନବ ପରିପାଟୀ
ପିନ୍ଧୁଥିଲେ ଯତ୍ନ କରି॥୯॥
ଖାଲି
ପାଦେ ଭୂମି ଉପରେ ଚାଲିବା
ଥିଲା ତାହାଙ୍କୁ ବାରଣ
ଚାଲିବାକୁ ହେଲେ ପାଦେ ପିନ୍ଧୁଥିଲେ
ଗୁଆ ଗଛ ଅାବରଣ॥୧୦॥
ପ୍ରତି ପରିବାର ମଧ୍ୟେ ରହିଥିଲା
ସ୍ନେହ ସଦ୍ଦିଚ୍ଛାର ଭାବ
ଧନୀ ହେଉ ଅବା ଗରିବ ହେଉ ସେ
ଥିଲା ଖୁସି ଅନୁଭବ॥୧୧॥
ସମୟ ସ୍ରୋତରେ ବହୁ ପ୍ରଥା ଆଜି
ନୂଆ ରୂପ ନେଇଅଛି
ଗାଆଁଆଡେ ବୁଲି ଆସିଲେ କେମିତି
ସହର ପରି ବାସୁଛି॥୧୨॥
ଘର ଅଳିନ୍ଦରେ ଲାଗିଅଛି ଦୋଳି
ନାହିଁ ଯୁବତୀଙ୍କ ମେଳ
ଦୋଳି ବାନ୍ଧିବାକୁ ଗାଆଁ ମୁଣ୍ଡେ ନାହିଁ
ଆମ୍ବ ବରଗଛ ଡାଳ॥୧୩॥
ନାହିଁ ସେ କାଳର ରଜପାନ ଆଉ
ତାଆସ କି ପଶା ଖେଳ
ଗାଆଁରେ ବିଲାତି ମଦର ଦୋକାନ
ପ୍ରତିଦିନ ମାଡଗୋଳ॥୧୪॥
ପ୍ରତି ଗ୍ରାମ ଆଜି ଦୁଇ ତିନି ଫାଙ୍କ
ଚାଲେ ରାଜନୀତି ଖେଳ
ବାପ ପୁଅ ଆଉ ଭାଇ ଭାଇ ମଧ୍ୟେ
ସେଥିପାଇଁ ଗଣ୍ଡଗୋଳ॥୧୫॥
ଚାଷୀ ଘରେ ନାହିଁଁ ଲଙ୍ଗଳ ଯୁଆଳି
ନାହିଁ ବିଦାକାଠି ମଇ
ନାହିଁ କାଙ୍କ କୋଡି ଦାଆ କି ଦାଇଲି
ବସୁମତୀ ସ୍ନାନ ପାଇଁ॥୧୬
ସାଙ୍କେତିକ ଭାବେ ଚାଲେ ଏହି ପୂଜା
ପରମ୍ପରା ରକ୍ଷା ପାଇଁ
କିଛି ବର୍ଷ ପରେ ଏଇ ସବୁ ପ୍ରଥା
ହଜିବ ସନ୍ଦେହ ନାହିଁ॥୧୭॥
ଆମ ରାଜ୍ୟର ଏ ମହାନ୍ ପର୍ବକୁ
ବଞ୍ଚାଇ ରଖିବା ପାଇଁ
ପ୍ରତିବର୍ଷ ରଜ ପାଳିବା ଆସ ମୋ
ଓଡିଆ ଭଉଣୀ ଭାଇ॥୧୮॥