STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଫଗୁଣ ଶେଷରେ

ଫଗୁଣ ଶେଷରେ

1 min
409

ଫଗୁଣ ଶେଷରେ ବାକି ରହେ ଯାହା 

ତପ୍ତ ଚଇତର ହାହାକାର,

ଋତୁ ସରିଯାଏ ସାଥି ବିନା ଯେବେ

ମୃତ୍ୟୁ ଚିନ୍ତା ସାଜେ ସହଚର। 

ହାଏ ସେ ଜୀବନ କି ଲାଭର,

ସାଇତା ଯେଉଁଠି ଭଙ୍ଗା ସମ୍ପର୍କର

ମୂର୍ଚ୍ଛିତ ସ୍ମୃତିର ଗନ୍ତାଘର।।


ବର୍ଷାରେ ଭିଜେନା ତନୁମନ ଯେବେ

ଜଳିଯାଏ ତୀବ୍ର ବିରହରେ,

ଗ୍ରୀଷ୍ମ ଦ୍ୱିପ୍ରହର ଫିକା ପଡ଼ିଯାଏ

ତା ବିନା ଜୀବନ ଅନଳରେ। 

ଅମୃତ ପାଲଟେ କି ଜହର !

ସାଇତା ଯେଉଁଠି ଭଙ୍ଗା ସମ୍ପର୍କର

ମୂର୍ଚ୍ଛିତ ସ୍ମୃତିର ଗନ୍ତାଘର।।


ସମୟ ପାଲଟେ ନିଥର ସରସୀ

ପଦ୍ମବନେ ଲାଗି ଯାଏ ନିଆଁ,

ସ୍ରୋତସ୍ଵିନୀ ମରେ ନିଜ ଶଯ୍ୟା ପରେ

ଭୁଲି ସାଗରର ସ୍ଵପ୍ନ ଛୁଆଁ। 

ଘୋଟିଆସେ ଦିବସେ ଅନ୍ଧାର

ସାଇତା ଯେଉଁଠି ଭଙ୍ଗା ସମ୍ପର୍କର

ମୂର୍ଚ୍ଛିତ ସ୍ମୃତିର ଗନ୍ତାଘର।।


ବିଶ୍ଵାସର ଶ୍ୱାସେ ବିଷବାୟୁ ବହେ

ସରଳତା ହୁଏ ପରାଜିତ,

ତଥାପି ସମୟ ଶିକ୍ଷା ଦେଇ ଯାଏ

ଜିଇଁବାର ଏକ ଭିନ୍ନ ପଥ। 

କ୍ଷତ ଶୁଖେ ହେଉ ପଛେ ଧୀର

ସାଇତା ଯେଉଁଠି ଭଙ୍ଗା ସମ୍ପର୍କର

ମୂର୍ଚ୍ଛିତ ସ୍ମୃତିର ଗନ୍ତାଘର।।


ପ୍ରେମ କିନ୍ତୁ ହାରେନାହିଁ ଏ ସଂସାରେ

ଭରିଦିଏ ହୃଦେ ନବ ଶକ୍ତି,

ବହିର୍ମୁଖି ଚିତ୍ତ ହୁଏ ଅନ୍ତର୍ମୁଖୀ

ସଂଯତ ହୁଏ ଅଭିବ୍ୟକ୍ତି। 

ଅନ୍ତ କେବେ ହୁଏନା ପ୍ରେମର,

ସାଇତା ଯେଉଁଠି ଭଙ୍ଗା ସମ୍ପର୍କର

ମୂର୍ଚ୍ଛିତ ସ୍ମୃତିର ଗନ୍ତାଘର।।



Rate this content
Log in

Similar oriya poem from Abstract