ଫଗୁଣ ରଙ୍ଗ
ଫଗୁଣ ରଙ୍ଗ
ନିଜର ଅସ୍ତିତ୍ୱ
ଖୋଜେ ମୁଁ କାହିଁକି
ତୁମରି ଭାବନା ସ୍ରୋତେ
ନିଜ ପ୍ରତିଛବି
ତୁମ ହୃଦୟରେ
ଆଙ୍କିଦିଏ ନିଜ ହାତେ l
ଶୟନେ ସ୍ୱପନେ
କାହିଁକି କେଜାଣି
ତୁମ ରୂପ ଉଠେ ଭାସି
ନିଜେ ବି ନିଜକୁ
ବୁଝେଇ ପାରେନି
ଛାଇ ଦେଖି ଦିଏ ହସି l
ଅଜାଣତେ ଯେବେ
ଲେଖି ପକାଏ ମୁଁ
ତୁମ ନାମ ଲେଖନୀରେ
କବିତା ପାଲଟେ
ପ୍ରୀତି ଫୁଲ ହୋଇ
ମନେ ମୋ ମହକ ଭରେ l
କାହିଁକି କେଜାଣି
ମୋ ଦିନ ବିତେନା
ଆଖି ଖୋଜେ ନିରନ୍ତର
ଯୁଆଡେ ଯାଏ ମୁଁ
ତୁମକୁ ହିଁ ଦେଖେ
ପଲକେ କରିଛ ଘର l
ମନ ବୁଝେନାହିଁ
ବୁଝେଇ ପାରେନି
ଭୁଲିବାକୁ ଚାହେଁ ଯେତେ
ଯାଦୁଗର ସାଜି
କୁହୁକ ବିଣାରେ
ଛୁଇଁ ଯାଅ ସେତେ ମତେ l
ତୁମ କବିତାରେ
ନିଜକୁ ଖୋଜେ ମୁଁ
ପ୍ରତିଟି ଅକ୍ଷର ନେଇ
କେବେ ଅନୁଭବେ
ପ୍ରୀତିର ପରଶ
କେବେ କୋଉଠି ବି ନାହିଁ l
ଆଇନା ରେ ଯେବେ
ନିଜକୁ ଦେଖେ ମୁଁ
ତୁମ ଛବି ଉଙ୍କି ମାରେ
ଆଖିର ପଲକେ
ଲୁଚିଥାଅ କାହିଁ
ହୃଦୟର ମନ୍ଦିରରେ l
ବେଳେବେଳେ ହସେ
ନିଜକୁ ନିଜେ ମୁଁ
ସ୍ମୃତିକୁ ସ୍ମରଣ କରି
ଅଜଣା ଠିକଣା
ନିଷିଦ୍ଧ ସପନେ
କାହିଁ ମନ ହୁଏ ଏତେ ଝୁରି ?

