ଫଗୁଣ ଫଗୁଣ ବାସୁଛି
ଫଗୁଣ ଫଗୁଣ ବାସୁଛି
ଅୟୁତ ଫୁଲରେ ଦେହକୁ ସଜେଇ ଆସିଛି ରେ ଆଜି ଫଗୁଣ,
ଅୟୁତ ମନରେ ପୁଲକ ଭରିସେ ଖୁସି ଆଣି ଅଛି ଦିଗୁଣ ।
ସବୁଜ ବନାନୀ ରଙ୍ଗମୟ ଆଜି ଇନ୍ଦ୍ରଧନୁ ର ଛଟା ରେ,
ମଳୟ ପବନେ ଉକୁଟେ ମହକ ସତେକି ଜୁଆରଭଟ୍ଟାରେ ।
ଚୁତଡାଳ ଏବେ ବଉଳରେ ଭରା ଶୁଭୁଛି ମଧୁପ ଗୁଞ୍ଜନ,
ଅଳି ହୋଇ ମେଳି କରୁଛନ୍ତି କଳି ଦେବାକୁ ତାହାରେ ଚୁମ୍ବନ ।
ଗଛରେ ଗଛରେ ପଲ୍ଲବୀ ଉଠିଛି ସବୁଜ କଅଁଳ ପତର,
ଫଗୁଣ ର ଶୋଭା ଦେଖି ମନଲୋଭା ଅଟକି ଯାଉଛି ନଜର ।
ଶିମିଳି,ପଳାସ ରଙ୍ଗ ଅବିରରେ ଫଗୁଣ କୁ କରେ ସ୍ୱାଗତ,
ଚାମେଲି ଖୋଲିତା ରୂପ ର ପସରା କରୁଛି ସଭିଙ୍କୁ ଉଷତ ।
ଆକାଶ ଦିଶୁଛି ଭାରି ନିରିମଳ ନିଳୀମା ତା ମନ ମୋହୁଛି,
ତୋଫା ଆକାଶରେ ତୋଫା ଜହ୍ନ ଏବେ ରାତିରେ ଦିହୁଡି ଜାଳୁଛି ।
ଜଳ ନିରିମଳ,ସ୍ଥଳ ନିରିମଳ, ଆକାଶ ବି ତୋଫା ଦିଶୁଛି,
ଯୁଆଡ଼େ ଚାହିଁଲେ ସିଆଡେ କେବଳ ଫଗୁଣ ଫଗୁଣ ବାସୁଛି ।
