ଶୁଣିଯା ଫଗୁଣ
ଶୁଣିଯା ଫଗୁଣ
ଶୁଣିଯା ଫଗୁଣ ଟିକେ ମୋର କଥା
ପକାଇ କହୁଛି ରାଣ
ଯିବୁକି ଟିକିଏ ମୋର ପ୍ରିୟା ଦେଶେ
କରିଛି ସେ ଅଭିମାନ !!
ଭାରି ମନୋଇ ସେ ମୋର ଅପରୂପା
ଲାଜେଇ ଅଳସି କନ୍ଯା
ଅଭିମାନେ ତାର ଅବିର ମାରିବୁ
ଭରି ସାତରଙ୍ଗ ବନ୍ଯା !!
ମୋ କଥା କହିବୁ ଚୁପି କାନେ ତାର
ବାନ୍ଧି ପ୍ରୀତି ଅଳଙ୍କାର
ବିନ୍ଦୁରେ ବିନ୍ଦୁରେ ହୋଇଲାଣି ସିନ୍ଧୁ
ଆଖି ଲୁହ ଯେତେ ମୋର !!
ଦିଗତୁ ବଦଳା ଏ ଫଗୁଣ ରାଜା
ପୂର୍ବରେ ମୋ ପ୍ରିୟା ଘର
ଦେଖିବୁ ଆକାଶ ମାଟି ଛୁଇଁଥିବ
ପ୍ରିୟା ଗାଁ ଭାରି ମନୋହର !!
ଶ୍ଯାମଳି ମୋ ପ୍ରିୟା ଚଞ୍ଚଳ ଚପଳ
ନୀଳ ଉର୍ମି ଦୁଇ ଆଖି
ଦୀର୍ଘ ଦେହ ତାର ଉନ୍ନତ ସୁଠମ
ନୀଳ ପଦ୍ମ ଦେହ କାନ୍ତି !!
ମେଘ ଠାରୁ ଘନ ତାର କେଶଦାମ
ରମ୍ଭାତରୁ ଘନ ଉରୁ
ଚତୁର୍ଦ୍ଦିଗ ବ୍ଯାପ୍ତ ତା ଦେହ ସୁଗନ୍ଧ
ବାସୁଥାଏ ଭୁରୁଭୁରୁ !!
ଶ୍ରେଷ୍ଠଶିଳ୍ପୀର ସେ ନିଖୁଣ ପ୍ରତିମା
ପ୍ରିୟା ମୋର ମନୋରମା
ମୁଖ ମଣ୍ଡଳରୁ ଝରୁଥିବ ଜ୍ଯୋତି
ଜାଣିବୁ ମୋର ପୂର୍ଣ୍ଣିମା !!
ହରାଇବୁ ନାହିଁ ତୋର ଯତିମତି
ଦେଖି ପ୍ରିୟା ରୂପଶୋଭା
ସଂଞ୍ଚୟ ରଖିବୁ ତୋ ମନ ଉପରେ
ଦେଇ ମୋର ପ୍ରୀତି ଆଭା !!
ବୁଝାଇ କହିବୁ ଝୁରେ ତାକୁ କେତେ
ବିରହ ଜ୍ଜଳନ ସହି
ଅନ୍ତରେ ଅନ୍ତର କରିଦେଲା ପରେ
ମିଳନେ ରହିଛି ଚାହିଁ !!
ଚେତା ଚେତନା ମୁଁ ହରାଇଛି ପ୍ରାୟ
ଅବଶୋଷେ ମନ ଦାସ
ପ୍ରଥମ ଏ ପ୍ରେମ ଅଧୁରା ମିଳନ
ଜୀବ ଲଭୁ ନାହିଁ ଶ୍ବାସ !!