ଫାଟ
ଫାଟ
ତୁମେ ତୁମ ଅଭିମାନର ସନ୍ତକ ଧରି
ଏରୁଣ୍ଡି ଡେଇଁଗଲ ଯେବେ
ଅକୁହା ଭାବନା ସବୁକୁ ଜାକିଜୁକି ଫିଙ୍ଗିଦେଇ
ଘର ସାମ୍ନା ଡଷ୍ଟବିନ୍ ରେ,
ମୁଁ ସାଉଁଟି ସାଇତୁ ଥିଲି ତମ ବାସ୍ନା ଓ ପାଉଁଜିର ଶବ୍ଦ ସବୁ
ଡ୍ରେସିଙ୍ଗ ଟେବୁଲର ଡ୍ରୟର ଭିତରେ।
ଘରର ପରଦାଟା ଉଡ଼ୁଥିଲା ବାହାରକୁ ହୋଇ
ଯଦିଓ ପବନର ଆଭାସ ନଥିଲା,
ଅସଜଡ଼ା ବିଛଣାଟା ମୁହଁମାଡ଼ି କାନ୍ଦୁଥିଲା ବୋଧେ
ଭର୍ତ୍ତି ଥିବା ଆଲମାରୀରୁ ଶୁନ୍ୟତା ବାରି ହେଉଥିଲା।
ଶୁଖିଲା ଗୋଲାପ ତୋଡ଼ା ରାଗେ ଜର ଜର ହୋଇ
କଣେଇ କଣେଇ ମୋତେ ବୁଲି ଚାହୁଁଥିଲା,
ଆଇନାରେ ମୋ ଚେହେରା ଦେଖିବାକୁ ଗଲା ବେଳେ
ସେ ବି ମୁହଁ ଲଦି ଦେଇ ଅସ୍ପଷ୍ଟ ଦିଶୁଥିଲା।
କେବଳ ମୋ ମୋବାଇଲର ହୃଦୟଟା
ମୋ ପାଇଁ କାନ୍ଦୁଥିଲା ବୋଧେ
ନା ନେଟୱର୍କ ଥିଲା ନା ବ୍ୟାଟେରୀ ଥିଲା,
ମୋ ଛାତିର ସ୍ପନ୍ଦନକୁ ଠିକ ପଢ଼ି ପାରି
ସେ ବି ଚୁପ ରହିବାକୁ ଶ୍ରେୟସ୍କର ମଣୁଥିଲା।
ଆମ ଭିତରେ ଥିବା ବୁଝାମଣା ସବୁ
ଏମିତି ଯେ ଇତି ହେବ କେଇ ଖୋଜ ବାଟ ଚାଲିବା ପରେ
ଜାଣି ନଥିଲି ମୋ ପାଇଁ ତୁମେ ଏମିତି
ବାସହରା ହୋଇ ଚାଲିଯିବ କେଉଁ ଏକ ଉଆସ ସ୍ୱପ୍ନରେ।
ତୁମେ କୁହ ମୋ ଦ୍ୱାରା ଅଣଦେଖା ହେଲା ପରେ
ତୁମ ଭିତରେ ଉଠିଥିଲା ଝଡ଼
ତୁମେ କୁହ ମୁଁ କୁଆଡ଼େ ଅନ୍ୟମାନଙ୍କ ପ୍ରତି
ଅଧିକ ଆଟେଣ୍ଟିଭ ହୋଇ
ତୁମ ପ୍ରତି କରିଛି ଅନେକ ଅବିଚାର।
ମୁଁ କିନ୍ତୁ ତୁମକୁ ଜୀବନ ସର୍ବସ୍ୱ କରି
ଧରି ରଖିଥିଲି ସମ୍ପର୍କର ସବୁ ସୂତ୍ରରେ ଗଣ୍ଠିଟିଏ କରି
ତୁମ ପାଇଁ ଲେଖୁଥିଲି ଅସରା କବିତା ସବୁ
ତୁମକୁ ହିଁ ମୋ କାବ୍ୟ ନାୟିକା ବିଚାରି।
ନିଜର କରିବା ପରେ ମୁଁ ଆପଣେଇ ନେଇଥିଲି
ତୁମ ଅନ୍ଧାର ଆଲୋକ ଓ ଆଶା ସ୍ୱପ୍ନ ସବୁ,
ତୁମ ଧମନୀର ଶୋଣିତ ଧାରାକୁ
ମୁଁ ଅନୁଭବିଥିଲି ପ୍ରାଞ୍ଜଳ ଭାବରେ
କିନ୍ତୁ ହୁଏତ କିଛି ଅଭାବ ରହିଗଲା ମୋ ଭିତରେ
ନିଜକୁ ନିଜେ ମୁଁ ଠିକ୍ ଭାବୁ ଭାବୁ।
ଦୋଷ ଦେଇନି ତୁମକୁ ଆଜି ବି ଦେବିନି
ଗଛଟିଏକୁ ବଞ୍ଚେଇ ରଖିବାକୁ ଯେ ଶ୍ରମ ଦେବାକୁ ହୁଏ
ଝାଉଁଳା ଫୁଲ ଗଛକୁ ଦେଖି ମୁଁ ଠିକ୍ ବୁଝି ପାରିଛି,
ତୁମେ ଗଲା ପରେ ଏବେ ଆତ୍ମ ସମୀକ୍ଷାର ବେଳ
ଏକା ହୋଇ ତୁମ ଖାଲିପଣକୁ ଭୋଗିବାର ବେଳ
ଯାଏଁ, ତୁମେ ଫେରିବା ଆଗରୁ ଘରଟାକୁ ସଜେଇ ଦେଉଛି।
ମୁଁ ଜାଣେ, ତୁମ ପାଦ ଫେରି ଆସିବ
ମୋ ପ୍ରତୀକ୍ଷା ଗାଢ଼ ହେଲା ପରେ,
ଠିକ୍ ଭୂଲ୍ ର କୁହୁଡ଼ି ଘୁଞ୍ଚିଯିବ
ତୁମ ଅବୁଝାପଣ ସରିଗଲା ପରେ,
ନୂଆ କରି ସ୍ୱାଗତ କରିବି ଆସ ତୁମ ବିନା ମରି ବି ହୁଏନା
ମୁଁ ଜାଣେ ମୋ ବିନା ତୁମର ବି କେବେ ସଞ୍ଜ ବି ଢଳେନା।