ପେଟର ଭୋକ
ପେଟର ଭୋକ
ପେଟର ଭୋକ କୁ କେମିତି ରୋକିବି
କାହିଁ ସେ ସାମର୍ଥ୍ୟ ମୋର
ଦୁଇଦିନ ହେଲା ଉପାସେ ସଢ଼ୁଛି
ଜୀବନଟା ନାରଖାର ।
ସୃଷ୍ଟିର ବିଧାତା କଲେ ଅବିଚାର
ବିକଳାଙ୍ଗ ଜନ୍ମ ଦେଇ
ଦେଖିପାରେ ନାହିଁ ସୁନ୍ଦର ଜଗତ
ଆଖି ଦୁଇ ମୋର ନାହିଁ ।
ଅଲୋଡ଼ା ସାଜିଲି ପରିବାର ପାଇଁ
ହୋଇଲି ଅନାଥ ମୁହିଁ
ସେଦିନୁ ନିଜର ବଞ୍ଚିବାର ରାହା
ଈଶ୍ୱରଙ୍କ ଗୀତ ଗାଇ ।
ଏଠାରେ ସେଠାରେ ରେଲଗାଡି ପରେ
ଗାଇଦେଇ ଦୁଇପଦ
ଯିଏ ଯାହା ଦାତା ଖୁସି ମନେ ଦିଏ
ଯୋଗାଡି ନିଏ ମୋ ଖାଦ୍ୟ ।
କେବେ ରାଜରାସ୍ତା କେବେ ପାନ୍ଥଶାଳା
ରେଳ ରହଣିର ସ୍ଥାନ
ମୋର ଆଶ୍ରା ସାଜେ କେବେ ଗଛମୂଳ
ଦୋକାନ ବାରଣ୍ଡାମାନ ।
ଦୁଇ ଦିନ ହେଲା ଜ୍ବରରେ ଥରୁଛି
ଉଠିବାକୁ ନାହିଁ ବଳ
ପେଟରେ ଭୋକର ଜ୍ୱାଳା ଜାଳୁଅଛି
ବିକଳରେ ପିଏ ଜଳ ।
ଜଳ କି ପାରିବ ଭୋକର ଜ୍ୱାଳାକୁ
ଉଦରରୁ ଦୂର କରି
ଧିକ ଏ ଜୀବନ କେତେ ଏ କଷଣ
ସାଜିଅଛି ମୋର ବୈରୀ ।
ଅମୂଲ୍ୟ ଜୀବନ ତୁଚ୍ଛ ପରି ଲାଗେ
କାହାକୁ କହିବି ଦୁଃଖ
କାହାର କା ' ପାଇଁ ନାହିଁ ଏଠି ବେଳ
ଫାଟିଯାଉଅଛି ବକ୍ଷ ।
ଗୁରୁ ଦାୟିତ୍ୱର ଗମ୍ଭୀର ଭାଷଣ
ସମାଜରେ ଲୋକପ୍ରିୟ
ବାସ୍ତବତା କିଏ ପରଖୁଛି କୁହ
ସାଜିଅଛି ଅସହାୟ ।
ଯୋଜନା ଭିତରେ ଜୁଝୁଛି ମୁଁ ନିତି
ପେଟ ଭୋକ ଅସମ୍ଭାଳ
ଏତିକି ସଦୟା କର ହେ ଠାକୁର
ଭରିଦିଅ ମୋର ଥାଳ ।