STORYMIRROR

Harekrushna Deb Sahoo

Classics Inspirational

4  

Harekrushna Deb Sahoo

Classics Inspirational

ପଦ୍ମାଳୟା: ଜୟ ଜୟ ମହାଲକ୍ଷ୍ମୀ

ପଦ୍ମାଳୟା: ଜୟ ଜୟ ମହାଲକ୍ଷ୍ମୀ

1 min
221


ବନ୍ଦେ ଦେବୀ ପଦ୍ମାଳୟା ପଦ୍ମବନ ନିବାସିନୀ,

ପୂଜେ ଶ୍ରୀୟା ଚଣ୍ଡାଳୁଣୀ ହାତୀ ଉଲ୍ଲୁକବାହିନୀ ।୧


ବୈକୁଣ୍ଠ ବାସିନୀ ଦେବୀ ଜୟମାତା ମହାଲକ୍ଷ୍ମୀ,

ବିଷ୍ଣୁ ଘର ପାଟରାଣୀ ପଦ୍ମବନ ବିହାରିଣୀ ।୨


ମାର୍ଗଶିର ଗୁରୁବାର ଦିନ ମାଣବସା ପୂଜା,

ଘରେ ଘରେ ବିଜେ ମହାଲକ୍ଷ୍ମୀ ମହାସୁଖି ପ୍ରଜା।୩


ଗୁନ୍ଥି ଧାନକେଣ୍ଡା ପୂଜା ଘରେ ସଜା ଧାନବେଣୀ, 

ବିଜେ ଲକ୍ଷ୍ମୀ ଠାକୁରାଣୀ ବିଷ୍ଣୁପ୍ରିୟା ସୁଲକ୍ଷଣୀ ।୪


କରେ ବଳରାମ ଦାସ ଲକ୍ଷ୍ମୀ ପୁରାଣ ବଖାଣ,

ଘେନି ସ୍ୱାମୀ ଅନୁମତି ଲକ୍ଷ୍ମୀ କରନ୍ତି ଭ୍ରମଣ ।୫


ବଡ଼ ଦେଉଳୁ ବାହାରି ମାତା ବୁଝି ଭଲ ମନ୍ଦ,

ଶ୍ରୀୟା ଚଣ୍ଡାଳୁଣୀ ମନେ ଲୋ ନାହିଁ କପଟ ଛନ୍ଦ ।୬


ଲିପାପୋଛା ପରିଷ୍କାର ଘରେ ପୂଜା ପାଇଁ ସଜ,

ଭୋଗ-ନୈବେଦ୍ୟ ମାଣ ସଜାଡ଼ି ପୁଷ୍ପ ସଙ୍ଗେ ଗଜ ।୭


ଶ୍ରୀୟା ଭକ୍ତି ଭାବନାରେ ଲକ୍ଷ୍ମୀ ହୋଇଣ ସନ୍ତୋଷ,

ଜାଚି ବର ଦେଲେ ମାତା ସୁଖ ସମ୍ପଦ ଅଶେଷ ।୮


ଅଛୁଆଁ ଚଣ୍ଡାଳୁଣୀ ଘରେ ଦେଖି ଲକ୍ଷ୍ମୀ ପ୍ରବେଶ,

ବଡ଼ଦେଉଳୁ ବଳରାମ ତଡି ଦେଲେ ଆଦେଶ ।୯


ବାହାରି ଯାଅ ଗୋ ଲକ୍ଷ୍ମୀ ନ ଦେଖିବୁ ତୁମ୍ଭ ମୁଖ,

ଜାତି ଗଲା ବୋଲି ଆମ୍ଭର କେ ଚାହିଁବ ଶ୍ରୀମୁଖ ।୧୦


ଅପମାନ ପାଇ ଲକ୍ଷ୍ମୀ ଘରୁ ବାହାରିଣ ଗଲେ, 

ସମୁଦ୍ର କୂଳେ ଦେବୀ ବଡ ପ୍ରାସାଦ ଗଢାଇଲେ ।୧୧


 ତାଳବେତାଳେ ବଡ଼ଦେଉଳୁ ଲୁଟିଲେ ଜିନିଷ,

 ଶ୍ରୀହୀନ ହେଲା ମନ୍ଦିର ଲକ୍ଷ୍ମୀ ସବୁ କଲେ ନାଶ। ୧୨


ନ ପାଇ ଅର୍ଣ୍ଣ ଭୋକରେ ଲକ୍ଷ୍ମୀ ଛଡା ଦୁଇ ଭାଇ, 

ପ୍ରାସାଦ ସମ୍ମୁଖେ ଉଚ୍ଚେ ବେଦ ପାଠ କଲେ ଯାଇ ।୧୩


ପ୍ରାସାଦ ମାଲିକାଣୀ ସେବାରେ ବିମୁଗ୍ଧ ହୋଇଲେ,

ଲକ୍ଷ୍ମୀ ପରିଚୟ ପାଇ ଦୁହେଁ ଲଜ୍ଜିତ ହୋଇଲେ।୧୪


ଛୁଆଁ ଅଛୁଆଁ ନାହିଁ ଉଭୟେ ପ୍ରତିଶ୍ରୁତି ଦେଲେ, 

ହରସ ମନେ ମା' ଲକ୍ଷ୍ମୀ ଶ୍ରୀମନ୍ଦିର ବାହୁଡ଼ିଲେ ।୧୫


ଜୟ ଜୟ ମହାଲକ୍ଷ୍ମୀ ଜୟ ଜୟ ଲକ୍ଷ୍ମୀକାନ୍ତ,

ଜୟ ଜୟ ପଦ୍ମାଳୟା ଜୟ ଜୟ ଜଗନ୍ନାଥ। ୧୬



Rate this content
Log in

Similar oriya poem from Classics