STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ପବିତ୍ର ନିଶା

ପବିତ୍ର ନିଶା

1 min
735


ଅନେକ ଥର ଏ ଘଟଣାଟା ଆଜ୍ଞା

   ମୋ ସାଥିରେ ଘଟିଲାଣି‌,

କବିତା ଲେଖିଲେ ମଶା କାମୁଡିବା

   ଅଭ୍ୟାସ ହୋଇଗଲାଣି।


ମୁଁ ଯିଦିଆ‌କୁ ମଶା ବି ଯିଦିଆ

   କେହି କାରେ‌ ଊଣା ନୋହୁଁ,

ମୁଁ ଯେତେବେଳେ ମୋବାଇଲ ଧରେ

    ମଶା ସାଜେ ମୋଠିଁ ଦାଉ।


ମଶା ନିଶା ଭାଇ ଶୋଷିବ ରକତ‌

    କବି-ର ନିଶା ସାହିତ୍ୟ,

ମୋ ଧ୍ଯାନ ଯେବେ ଲେଖିବାରେ ଥାଏ

    ତା' ଧ୍ୟାନ ମଣିଷ ରକ୍ତ।


ଶବ୍ଦଟିକୁଶୂନ୍ଯେ ଖୋଜୁଖୋଜୁ ଯଦି 

    ଗୁଣୁଗୁଣେଇ‌ ମୁଁ ହୁଏ,

ଠିକ୍ ସେତେବେଳେ ଗୁଣୁଗୁଣୁ ହୋଇ

     ସେ ମୋ ପାଖେ ଆସିଯାଏ।


ଲେଖାରେ ମୁଁ ମଜ୍ଜି‌ ରହିଥିଲାବେଳେ

    ସୁବର୍ଣ୍ଣସୁଯୋଗ ଦେଖି,

ମୋ ଦେହରୁ ରକ୍ତ ଶୋଷିବାକୁ ମଶା

    ସନ୍ତର୍ପଣେ ଯାଏ ଲାଖି‌।


ମୁଁ ଲେଖୁଥାଏ ସେ ଶୋଷୁଥାଏ

    ମୁଁ କିନ୍ତୁ ଜାଣିପାରେନା‌,

ସେତେବେଳେମୋର ଦେହଠାରୁ ମନ

    ଭିନ୍ନ ଥାଏ ବୋଲି ସିନା।


ଖାଲି ଜାଗା ଦେଖି ମନଭରି ପେଟେ

    ରକତ‌ ଶୋଷିଲା‌ ପରେ,

ଓଜନଭାରକୁ ନ ସମ୍ଭାଳି ପାରି

    ତଳେ ମଶା ଖସି ପଡେ।


କାମୁଡ଼ା ଜାଗାଟା କୁଣ୍ଡେଇ‌ ହୋଇଲେ

    ମୋତେ ଯାହା ଜଣାପଡେ,

ହାତଟା ଯାଇକି ମୋ ଦେହରେ କିନ୍ତୁ

    ସକ୍ତ ଚାପୁଡାଟେ ମାରେ।


ସାହିତ୍ୟ ନିଶାରେ କବିଟି ପାଗଳ

   ରକତ‌ ନିଶାରେ ମଶା,

ମଧୁ ଆସ୍ଵାଦନେ ଭ୍ରମର ପାଗଳ

    ପ୍ରେମିକର ପ୍ରେମ ନିଶା।


ଏଇତ ସାଧନା ରକ୍ତଠୁଁ ସାହିତ୍ୟ 

    ମୂଲ୍ୟବାନ କବି ପାଇଁ,

ମଶା ପଛେ ରକ୍ତ ଖାଉ ଥାଉ ଏଣେ

    ସାହିତ୍ୟଟି ବଞ୍ଚିଥାଉ।


ବିଭିନ୍ନ ନିଶାରେ ବିଭିନ୍ନ ମଦ୍ଯପ‌

    ସଂସାରରେ ରହିଛନ୍ତି, 

କବି,ଭ୍ରମର ଓ ପ୍ରେମିକ ତିନିହେ‌ଁ

    ମଦୁଆରେ‌ ଗଣାହୋନ୍ତି।


ସବୁଠାରୁ ନିଶା ସାହିତ୍ୟର ମଦ

    ପାନ ଯେବେ କରୁଥିବ,

ସେବେଳେ ଦୁନିଆଁ ଯଦି ଭାସିଯିବ

     ମୁଣ୍ଡେ କେବେ ନ ପଶିବ।


ସାହିତ୍ୟ ଏମିତି ପବିତ୍ର ମଦଟି

    କବିଙ୍କୁ ନିଶାରେ ଘାରେ,

ଲେଖନୀ ସଜାଡି ଦରଦୀ କବିଟି‌

    କଳ୍ପନାରୁ ଶବ୍ଦ ତୋଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy