STORYMIRROR

Chaturbhuja Sahoo

Abstract

3  

Chaturbhuja Sahoo

Abstract

ପାପୀ ଗାଏ ପୁଣ୍ୟର ବିଜୟ

ପାପୀ ଗାଏ ପୁଣ୍ୟର ବିଜୟ

1 min
161


ପାପୀ ଏଠି କରେ ଷଡଯନ୍ତ୍ର,

ପାପୀ ଗଢେ ବିଚିତ୍ର ବ୍ରହ୍ମାଣ୍ଡ,

ପାପୀ ମୁଖେ ବୈଦିକ ମନ୍ତ୍ର,

ପୁଣ୍ଯ ପାଇଁ ପାପୀ ଆଯୋଜକ.... ।।


ବାଃ ବାଃ କି ବିଚିତ୍ର ଉପଚାର

ଗଣିକାକୋଠିର ମାଟି-

ଆଉ ତା' ଋପରେ-ଗନ୍ଧରେ-ସ୍ବାଦରେ

ମାଆର ଅସ୍ତିତ୍ବ,

ପାପ ପରେ ପୁଣ୍ଯର ବିଜୟ ନିମିତ୍ତ ।।


ଏ ଧରା ତମର.... ନା ଆମର !

ଆମେ ତମ ପାଇଁ, ନା ତମେ ଆମ ପାଇଁ ମାଆ...

ଏ ପ୍ରକୃତି, ଏ ଧରା , ଏ ସୃଷ୍ଟି 

ସବୁତ ତମରି ଭିଆଣ...

କିନ୍ତୁ ପାଟିରୁ ପଚ୍ ପଚ୍ ଥୁକୁ ଥିବା

ବୁଢା ମହାରଣା,

ଆଉ ତା' ପରିକଳ୍ପନାରେ ତମେ

କିଛି ନଡା,କିଛି ମାଟି,କିଛି ରଙ୍ଗ ଆଉ କପଡାର ପଣ

ପାପୀ ହାତର ମୃଣ୍ମୟ ବରଣ ......


ସେଇ ପାପୀ ମହାରଣା, କରିତକର୍ମା

ଜଗତଜନନୀର ସୃଷ୍ଟିକର୍ତ୍ତା - ବିଶ୍ବକର୍ମା

ତା'ର ଶେଷ ସ୍ପର୍ଶରେ 

ତମେ ଜଗତଜନନୀ,ତ୍ରୈଲୋକ୍ଯ-ମୋହିନୀ ମାଆ...

ହେଇ ଦେଖ ଶୂନ୍ୟରେ ପ୍ରତିଧ୍ବନିତ

ଘଣ୍ଟଘଣ୍ଟା, ତୁରୀଭେରି, ଶୁଭ ଶୁଙ୍ଖନାଦ

ବିଲ୍ବବରଣ ସରିଛି...

ଆବାହନ,ଷୋଡଶ ଉପଚାର, ସନ୍ଧିପୂଜା

ପୀଠେ ବୈଦିକ ମନ୍ତ୍ର ପାଠ

ତମ ପାଇଁ ସଜଡା ବଳି

ଆସନ୍ତା କାଲି ବିଜୟାଦଶମୀ

ପାପୀବ୍ରହ୍ମର ଆସ୍ପର୍ଦ୍ଧା କି ଜାଣ ?

ତମ ଭୋଗ- ଛାଗବଳି ମାଂସର ଭୋଜନ ।

ତମ ପାଇଁ ସବୁ କିଛି

ତମେ କିଛି କର କି ନକର ...

ଆମେ କିନ୍ତୁ କରୁଥିବୁ ପ୍ରତିବର୍ଷ, ତୁମ ଉପଚାର...

ଗରିବର ଅବୈତନିକ ଭେଟିରେ,

ଗରିବର ଅମଙ୍ଗ-ଅବୁଝା,ଜୋର ଜବରଦସ୍ତ ଟଙ୍କାରେ,

ଜନପଥଧାରେ ଚଲୁଥିବା ଗାଡିଠୁଁ ଲୁଟ୍ ଚାନ୍ଦାରେ...

ଠିକାଦାରର ଅସଦ୍ ଅର୍ଥରେ...

ତମେ ନିଶ୍ଚିତ ଆସିବ ମର୍ତ୍ତ୍ୟକୁ ମାଆ,

ପାପପରେ ପୁଣ୍ଯର ଜୈତ୍ରଗୀତ ଗାଇବାକୁ

ପାପୀର ପରିକଳ୍ପନାରେ....!


ମାଆ ଆଜି ନାଚାର୍

ତା'ର ସୃଷ୍ଟି ଆଜି ପ୍ରଦୁଷିତ,

ଗଣିକାକୋଠିର ମାଟିର ମହକ

ଆଜି ଘାରିଛି ପ୍ରତିଟି ମହିଷାସୁରକୁ....

ମାଆ, ଏଠି ଆଉ ସୁରକ୍ଷିତ ନୁହଁ,

ଅଗଣାର କୁନି ତୁଳସୀ ଅଦିନରେ ପତିତା...

ଏଠି ସମସ୍ତେ ଗରିବର ଗ୍ରହୀତା,

ପାପୀ ଏଠି ଆଯୋଜକ - ମାଆଙ୍କ ଆବାହନ ପାଇଁ

କି ବିଚିତ୍ର ଦୁନିଆ...

ପ୍ରତୀକାତ୍ମକ ପର୍ବର ବୈଶିଷ୍ଟ୍ୟ - ପାପ ପରେ ପୁଣ୍ଯର ବିଜୟ

ଧନ୍ଯ...ଧନ୍ଯଧନ୍ଯ - ତୁମ ମହନୀୟ

ପାପୀ ଗାଏ ପୁଣ୍ଯର ବିଜୟ !!!




Rate this content
Log in

Similar oriya poem from Abstract