ପାପ
ପାପ
ପାପ ବଢି ଗଲେ ଧରିତ୍ରୀ ମାଆର
ଝରି ଯାଏ ଆଖି ଲୁହ
ଅସହ୍ୟ ହୁଅଇ ମନର ଯନ୍ତ୍ରଣା
ବଢେ ତା ଛାତିର କୋହ ।
ପାପ ପୁଣ୍ୟ ଦୁଇ ସହଚର ହେଇ
ବହେ ଚିରସ୍ରୋତା ହୋଇ
ନୀରବ ଦ୍ରଷ୍ଟାଟି ହେଇ ଦେଖୁ ଥାଏ
ଆଖି ଲୁହ ପିଇ ପିଇ ।
ଏ କଳି ଯୁଗରେ ଏକ ପାଦ ସତ
ତିନି ପାଦ ଅଛି ପାପ
ପାପ ମାତ୍ରା ଯେବେ ଘୋର ହେଇଯାଏ
ବଢେ ଧ୍ୱଂସର ପ୍ରକୋପ ।
ସେ ଧ୍ୱଂସ ପ୍ରକୋପ ଅତି ଭୟାବହ
ଥଳ କୂଳ ନାହିଁ କିଛି
ଏଥିପାଇଁ ଏଇ ମଣିଷ ଜାତିଟି
ସମ୍ପୂର୍ଣ୍ଣ ଦୟୀ ରହିଛି ।
ଏମିତି ପାପ ସେ କରି ଚାଲି ଅଛି
ଦେଖୁନି ସେ ଆଗପଛ
ନାରୀ,ଲୋଭ,ମୋହ,ମାୟା ଫାନ୍ଦେ ପଡି
ପାପକୁ ମଣଇ ତୁଛ ।
ବିଶ୍ୱାସ ଭରଷା ପୋଡି ଖାଉଅଛି
ଅବିଶ୍ଵାସେ କରେ ଘର
ରକ୍ଷକ ହେଇ ସେ ଭକ୍ଷକ ସାଜୁଛି
ବିଶ୍ବାସେ ଭରେ ଜହର ।
ପୂଣ୍ୟର ଶବ୍ଦଟି ଡରି ଲୁଚି ଅଛି
ପାପ କରୁଛି ରାଜୁତି
ଚୋରୀ,ଦାରୀ,ନାରୀ ପ୍ରବଳ ବଢୁଛି
ପୂଣ୍ୟ ହେଉଅଛି ଇତି ।
ସ୍ବାମୀ ସ୍ତ୍ରୀ ମଧ୍ୟେ ବିଶ୍ୱାସ ରହୁନି
ଆଶା ପର ପୁରୁଷରେ
ପୁରୁଷଟି ମଧ୍ୟ ନିଜ ପତ୍ନୀ ଛାଡି
ଅନ୍ଧ ତରୁଣୀ ପ୍ରେମରେ ।
ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କେ
ଲାଗେ କଳଙ୍କର ଟୀକା
ପବିତ୍ରତାକୁ ସେ ବଳି ଦେଇ ତାକୁ
ସଜାଏ ନିଜ ପ୍ରେମିକା ।
ଗୁରୁ ଶିଷ୍ୟା ମଧ୍ୟେ ମନ ଦିଆ ନିଆ
ମଥାରେ ସିନ୍ଦୂର ଦିଏ
ସନ୍ତାନଙ୍କୁ ଛାଡି ପୂଣ୍ୟମୟୀ ମାଆ
ପର ପୁରୁଷରେ ଯାଏ ।
ଘରର ସଂସ୍କାର ରୀତି ନୀତି ଧର୍ମ
ସବୁ କରେ କଳୁଷିତ
ନିଜକୁ ବଞ୍ଚେଇବାର ପାଇଁ ସିଏ
ମିଛ କୁହଇ ବହୁତ ।
ସେଇ ମିଛ ଅଟେ ମହାପାପ ପୁଣି
ବର୍ତ୍ତିବା ସମ୍ଭବ ନୁହେଁ
ଇତିହାସେ ସଦା ସେ ଚାଣକ୍ୟ ନୀତି
ଚେତାଇ ଚେତାଇ କୁହେ ।
ତଥାପି ମଣିଷ ପାପ କରୁଅଛି
ସେ ପଥର ହୁଏ ଯାତ୍ରୀ
ଯେଉଁ ପଥ ଚିରସ୍ଥାୟୀ କେବେ ନୁହେଁ
ପାପେ ହେଇଯାଏ ଇତି ।
ପାପ ବଢିଗଲେ ଦୁଃଖ ବଢି ଯାଏ
ଅରାଜକତା ହୁଅଇ
ବୃଷ୍ଟି ହୁଏ ନାହିଁ ଏଇତ ମଣିଷ
ପାପ ଯେଣୁ କରୁ ଥାଇ
ଏମିତି ଜଣେ ତ କହି ପାରିବେନି
ପାପ ଯିଏ କରି ନାହିଁ
ପାପର ସଂଜ୍ଞାକୁ ନିରୂପଣ କଲେ
ଏଇ ରାତି ଯିବ ପାହି ।
ଏଇ ପାପ ପାଇଁ ଏ ଧରା ପୃଷ୍ଠରେ
ପ୍ରଭୁ ଅବତାର ନ୍ୟନ୍ତି
ପାପକୁ ବିନାଶି ଜଗତ ରଖନ୍ତି
ଧର୍ମ ସ୍ଥାପନ କରନ୍ତି ।