ପାପ ପଞ୍ଜୁରୀରେ ପୁଣ୍ୟ ଶାରୀ
ପାପ ପଞ୍ଜୁରୀରେ ପୁଣ୍ୟ ଶାରୀ
ପାପ ପଞ୍ଜୁରୀରେ ପୁଣ୍ଯ ଶାରୀ ବସି
ଗାଉଅଛି ରାମ ନାମ ।
ପଞ୍ଢୁରୀ ଭାଙ୍ଗିଲେ ଉଡିଯିବ ଶାରୀ
ନଶୁଭିବ ଆଉ ନାମ ।
ପଞ୍ଜୁରୀଟି ଗଢା ପାପରେ ରକତ
ମାଉଁସ ହାଡକୁ ନେଇ ।
ପାପୋଽହଂ ପାପୋଽହଂ ବୋଲି ଭାବେ ନିତି
ପାପର ପଞ୍ଜୁରୀ ସେଇ ।
ପାପ କରମରେ ରତ ହୋଇ ସଦା
ପଞ୍ଜୁରୀଟି ଥାଏ ରହି ।
ପୁଣ୍ଯ ଶାରୀ ତାର ଭିତରେ ରହିଛି
ପଞ୍ଜୁୁରୀ ତା ଦେଖିନାହିଁ ।
ପଞ୍ଜୁରୀ ମଣୁଛି ନିଜକୁ ପାପାତ୍ମା
ପାପରୁ ଉଦ୍ଭବ ତାର ।
ବାରମ୍ବାର ଜନ୍ମ ମୃତ୍ୟୁର ଚକ୍ରରେ
ଜନମ ହେଉଛି ତାର ।
ପଞ୍ଜୁରୀଟି ଯେବେ ଜୀର୍ଣ୍ଣ ହୋଇଯାଏ
ପୁଣ୍ଯ ଶାରୀ ଯାଏ ଉଡି ।
ପଞ୍ଜୁରୀ ଶରୀର ଶାରୀଟି ଜୀବାତ୍ମା
ଏକଥା ନଯାଅ ଏଡି ।
ପାପୀ ପାପକର୍ମା ପାପାତ୍ମା ପାପରୁ
ସମ୍ଭବ ପାପ ପଞ୍ଜୁରୀ ।
ପୁଣ୍ଯ ଶାରୀ ନିଜେ ବିରାଜୁଛି ତହିଁ
ରାମ ନାମ ଗାନ କରି ।
ଅବିନାଶୀ ଅଂଶ ଶାରୀଟି ବିଶେଷ
ଲିପ୍ତ ନୁହେଁ ସେ କାହିଁରେ ।
ଦଶେନ୍ଦ୍ରିୟ ଦଶପ୍ରାଣ ମନ ସହ
ବିଜେ ହୁଏ ପଞ୍ଜୁରୀରେ ।
ଗଲାବେଳେ ଯାଏ ସଭିଙ୍କୁ ନେଇ ସେ
ପଞ୍ଜୁରୀ ପଡଇ ଖାଲି ।
ମଲା ମଲା ବୋଲି ହୁରି ପଡିଯାଏ
ଶାରୀ ଉଡିଗଲା ବୋଲି ।
ପଞ୍ଜୁରୀ ଭିତର ଶାରୀକୁ ଚିହ୍ନିଲେ
ତୁଟିଯାଏ ଭବଭୟ ।
କୋଟି ଜନମର ତପସ୍ୟା ସଫଳ
ହୁଅଇ ଏକଥା ଥୟ ।