ପାଣିଚିଆ ସମ୍ପର୍କ
ପାଣିଚିଆ ସମ୍ପର୍କ


ବାଇଶି ପାହାଚରୁ ଆରମ୍ଭ କରି
ଜୀବନର ପ୍ରତିଟି ପାହାଚରେ ,
ସମ୍ପର୍କର ଖିଅ ପାଣିଚିଆ ଲାଗେ
ଅନୁଭବର ପ୍ରତି ସକାଳରେ ।
ନାରୀ ଜୀବନର ସମ୍ପର୍କ ଭିତରେ
କିଏସେ ଅବା ସତେ ଆପଣାର ?
ଜନ୍ମିତ ଗୃହବି ସମୟ ଚକ୍ରରେ
ଲାଗଇ ଯୋଜନ ଯୋଜନ ଦୂର ।
ଜନ୍ମଭୂମି ଆଉ କର୍ମଭୂମି ମଧ୍ୟେ
ଜୀବନ ଜଳେ ଜଞ୍ଜାଳ ଜୁଇରେ ,
ମରୀଚିକା ତୁଲ୍ୟ ସମ୍ପର୍କର ତୃଷ୍ଣା
ଧାବିତ ହୁଅଇ ମିଛ ମାୟାରେ ।
ସମ୍ପର୍କର ରୂପ ଅଟ୍ଟହାସ୍ୟ କରେ
ମୁହୁର୍ମୁହୁଃ ବନ୍ଧନ ବିଷୟାରେ ,
ମରୀଚିକା ଜତୁଗୃହେ ଆଶା ଜଳେ
ବେଦନାସିକ୍ତ ନିଃଶବ୍ଦ ରାତ୍ରିରେ ।
ଜୀବନର ପ୍ରତି ନୂଆ ସକାଳରେ
ନୂତନ ସମ୍ପର୍କ ସାଜସଜ୍ଜାରେ ,
ଚିହ୍ନା, ଚିହ୍ନା ସେଇ ସମ୍ପର୍କ ଭିତରେ
ବାନ୍ଧିହୁଏ ଭିନ୍ନ ଭିନ୍ନ ରୂପରେ ।
ନିଜ ସ୍ବପ୍ନ ସବୁ ବନ୍ଧା ପଡ଼ିଯାଏ
ଅଭିପ୍ସାର ସେ' ବଳୟ ଭିତରେ ,
ନାରୀ ନାମଧାରୀ ନିଜକୁ ପଖାଳେ
ଚିହ୍ନିତ ପାଣିଚିଆ ସମ୍ପର୍କରେ ।