ପାଳି
ପାଳି
ମା ଖୋଜୁଛି ମମତା ଟିକେ
ମମତା ଖୋଜେ ସ୍ନେହ
ଦରଦୀ ମନର କଷ୍ଟ କୁ ଆଜି
କା ଆଗେ କହିବ କୁହ l
ଆଖିରୁ ବହେ ମମତା ତାର
ଛାତିରୁ ଝରେ କୋହ
ସନ୍ତାନ ଆଜି ପର କରିଲା
ବୁଝିଲାନି ଆଖି ଲୁହ l
ଅନ୍ତ ଚିରିଣ ଜନମ ଦେଲା
ସହି ଦଶ ମାସ କଷ୍ଟ
ଓଷା ଓପାସ କରିଣ କେତେ
କଟାଇ ଥିଲା ସେ ରିଷ୍ଟ l
ନିଜ ଛାତିରୁ କ୍ଷୀର ପିଆଇ
ଜୀବନ ଯାହାକୁ ଦିଏ
ସେଇ ସନ୍ତାନ ବୋଝ ଭାବିଣ
ଘରୁ ତଡ଼ିଣ ଦିଏ l
ପାଞ୍ଚ ପାଞ୍ଚଟି ପୁଅକୁ ଜନ୍ମ
ଦେଇଥିଲା ଯେଉଁ ମା
କାହାରି ମଧ୍ୟେ ଅନ୍ତର କେବେ
କରିନଥିଲା ସେ ମା l
ପୁଅ ଝିଅଙ୍କ ଭବିଷ୍ୟ ପାଇଁ
ନିଜ ଖୁସି ଗଲା ଭୁଲି
ସେଇ ସନ୍ତାନ ନିଜ ଖୁସି ପାଇଁ
ମା କଥା ଗଲେ ଭୁଲି l
ଅତି କଷ୍ଟରେ ବଡ କରିଲା
ସବୁ ପୁଅକୁ ସେ ତାର
ସବୁ ପୁଅ ଆଜି ବଦଳି ଗଲେ
ଚାଲିଲେ ସ୍ତ୍ରୀ କଥାର l
ମାଆ ଟି ଆଜି ବୋଝ ଲାଗିଲା
ଘୃଣା କରେ ତାକୁ ଦେଖି
ପାଖରେ ରଖିବା ପାଇଁକି ମନା
କରିଦିଏ ସେ ସଳଖି l
ପୁଅ ଝିଅ ଓ ନାତି ନାତୁଣୀ
ପରିବାର ବଡ ତାର
ହେଲେ କେହିବି ସ୍ନେହରେ ପଦେ
ନ କୁହେ ଆହା ମନର l
ବୟସ ର ଶେଷ ପାହାଚ ପରେ
ଛିଡା ହୋଇ ଅଛି ସିଏ
ଚର୍ମ ଧୁଡୁ ଧୁଡୁ ବଳବି ନାହିଁ
କାହାକୁ କହିବ ଆହେ l
ଆଖିକୁ ତାର ଦିଶୁନି କିଛି
କାନକୁ ଶୁଭେନା କିଛି
ଦାନ୍ତ ନାହିଁ ଯେ ପାକୁଆ ପାଟି
ଖାଇବ କି କଥା ବାଛି l
ଅନ୍ଧଲଉଡ଼ି ବାବୁ ଟି ତାର
ଦୁଃଖୀଧନମଣି ଆହା
ବୁଢ଼ୀ ବୟସେ ସାହାର ହେବ
ମୁଖେ ଦେବ ଟିକେ ନିଆଁ l
କେହି ବୁଝିଲେ ନାହିଁ ମାଆର
ଦୁଃଖୀ ମନର ଯନ୍ତ୍ରଣା
ଘରେ ରଖିବେ ପାଳି କରିଣ
କରିଲେ ଏହି ମନ୍ତ୍ରଣା l
ପାଳି କରିଣ ରଖିଲେ ଘରେ
ମାସ ମାସ ଗଣା ହୋଇ
ଯୋଡ଼ା ମାସଟି ପଡିଲା ବୋଲି
ରାସ୍ତାରେ ଛାଡିଲେ ନେଇ l
ଭାଗ ଛିଣ୍ଡିଲା ନାହିଁ ବୋଲିତ
ପୁଅ ଟି ଗରବେ କହେ
ତେଣୁ ଏ ମାସ ମାଆ ଟି ପରା
ଦାଣ୍ଡରେ ଆସି ରୁହେ l
ଯୋଗ୍ୟ ର ତୁମେ ସନ୍ତାନ ଗଣ
ନତମସ୍ତକ ମୁଁ ହୁଏ
ଗୋଟିଏ ମାଆ କୁ ପାଞ୍ଚଟି ପୁଅ
ପାଳି ପୁଣି ବଣ୍ଟା ହୁଏ l
ଧନ୍ୟ ସେ ମାଆ ତଥାପି ଆଜି
ଅଭିଶାପ ଦିଏ ନାହିଁ
ସନ୍ତାନ ଖୁସିରେ ତାହାରି ଖୁସି
ରାଜରାସ୍ତେ ଯାଏ ଶୋଇ l
ମାଆ ପରିକି ହୃଦୟ ଟିଏ ଯେ
ଖୋଜିପାଇବୁନି କାହାର
ଦିଅନି କେବେ ଏମିତି ଦୁଃଖ
ଏତିକି ମିନତି ମୋର l