ପାହାଡର ପଟ୍ଟଚିତ୍ର
ପାହାଡର ପଟ୍ଟଚିତ୍ର
ପାହାଡର ଏ ପାଖେ ଛୋଟ ଆମ ଗାଁ..
ସେ ଗାଁଆର ସ୍ମୃତି ଯେବେ,
ଲାଗେ ନୂଆ ନୂଆ,
ପାହାନ୍ତି ସପନ ଯେତେ,
ସ୍ମୃତି ତାଜା ତାଜା,
ସେ ସ୍ମୃତି ଖୋଜୁଛି ଆଜି
ରଂଗ ନୂଆ ନୂଆ..,
ଏଇ ଯେ ବନ ଲତା ପାହାଡ଼,
ପାହାଡ଼ ଦିଶେ କେଡେ ସୁନ୍ଦର...,
ଏଠି ଦିନ ସରେନା
ଏଠି ରାତି ସରେନା,
ସେଇ ବନ ଝରଣା,
ତାର କୋଳ ଝୁଲଣା,
ଦିଶୁଥାଏ ଝିଲି ମିଲି,
ହସୁ ଥାଏ ଖିଲି ଖିଲି,
ସେଇ ପାହାଡ଼,ଜଙ୍ଗଲ,ଭାରି ସୁନ୍ଦର,
ଲାଗେ ନିଜର,ବଣ ପାହାଡ଼..!
ସେ ସବୁଜ ସୁଶୀତଳ
ସେ ଗହଳ ସେ ବହଳ
ଏଠି ନିଦ ସରେନା,
ଏଠି ସ୍ବପ୍ନ ସରେନା,
ସେଇ ଶୀତଳ ଛୁଆଁ,
ଲାଗେ ଭାରି ଆପଣା,
ତା ଦେହରେ ସବୁଜିମା,ଲାଗେ ସୁନ୍ଦର,
ଅଧୀର, ବଣ ପାହାଡ଼..!
ଭାରି ଅମାନିଆ ସେଇ ବଣ ଝରଣା,
ଲାଗେ ଅପାସୋରା ତାର ମନ ମଇନା,
କୁଳୁ କୁଳୁ ବହି ଯାଏ,
ଫର ଫର ଉଡୁ ଥାଏ,
ମନେ ମନେ ଋଷୁ ଥାଏ,
ଫୁଲେ ଫୁଲେ ହସୁ ଥାଏ,
ସକାଳରୁ ସଂଜ ଯାଏ,
ସଞ୍ଜରୁ ସକାଳ ଯାଏ,
ସେହି ପହର, କିରଣ,
ସୁନ୍ଦର, ସେଇ ପାହାଡ଼..!
ଉଡେ ଦୂର ଆକାଶର ମଥା ଛୁଇଁ ସେ,
ଭାସେ ନୀଳ ଗଗନର ନୀଳ ଆକାଶେ,
ତା ଝରଣା ବହୁ ଥାଏ,
କୋଇଲି ବି ଗାଉ ଥାଏ,
ପବନରେ ବାସୁ ଥାଏ,
ଜୋଛନା ବି ବୁଣୁ ଥାଏ,
ଧୀରେ ଧୀରେ ମନ କିଣେ,
ସେ ଝରଣା ଗୀତ ଗାଏ,
ମୌସୁମୀ ମନ ଛୁଁଏ,ଲାଗେ ସୁନ୍ଦର,
ନିଜର, ସେଇ ପାହାଡ଼..!
ଯେବେ ଉହାଡରେ ଆସେ ସୁରୁଜ ଉଇଁ,
ଦୂର ଶିଖରରେ ନାଲି ମୁରୁଜ ବୁଣି,
ଖୁଆଡରେ ହଜି ଯାଏ
ନିତି ସଂଜେ ଲୁଚି ଯାଏ,
ସପନ ବି ବୁଣି ଦିଏ
ଗୋପନରେ ମଜୁ ଥାଏ,
ଭିଜେ ବସନ୍ତର ସେଇ ଆମ୍ର କାନନେ,
ଲାଗେ ସୁନ୍ଦର, ସୁନ୍ଦର, ସେଇ ପାହାଡ଼..!
ତା ଜୋଛନା ତା ଉପମା,
ତା ସୌନ୍ଦର୍ଯ୍ୟ ତା ତୁଳନା,
ତା ରଂଗରେ ସେ ସୁନା ସୁନା,
ତାରା ଫୁଲେ ଚୁନା ଚୁନା,
ତା ମନର ଛାୟା ଛବି
ତା ସପନ ମଧୁ ରାତି,
ଲାଗେ ସୁନ୍ଦର,ସୁନ୍ଦର, ସେଇ ପାହାଡ଼..!
ତା ଆଇନା ତୋଫା ଜହ୍ନ,
ତା ଝରଣା ଝୁରେ ମନ,
ତା ତଟିନୀ ଛଳ ଛଳ
କୁଳୁ କୁଳୁ ରାତି ଦିନ,
ଇନ୍ଦ୍ରଧନୁ ଆଂକେ ହୁନ୍ଦର,
ଚିର ସୁନ୍ଦର, ଭାରି ସୁନ୍ଦର..
ପର୍ବତ, ଜଙ୍ଗଲ, ସେଇ ପାହାଡ଼.. !
ଆଉ ପାହାଡର ସେ ପାଖେ..
ଅଛି ଯେତେ ଛଳ,
ଛଳନାର ବୁକୁ ପରେ
ସେ ଆଜି ନିର୍ଝର,
ସେ ସପନ ଦୋ ଛକିରେ
ଆମରି ଜୀବନ,
ସେ ସପନ ଭାଙ୍ଗେ ପୁଣି,
ହଜାଇ ସେ ମନ,
ତା ସପନ ଜଉଘରେ କାଟୁଛି ସେ ଦିନ,
ହଜୁଛି ବସଂତ ଏଠି,
ଲୁଚେ ଏ ଶ୍ରାବଣ..
ରିମ ଝିମ ବରଷାରେ
ଝୁରେ ସେ ପ୍ରାଣ,
ଗୁଣୁ ଗୁଣୁ ଗୀତ ସୁରେ ଆସୁ ନାହିଁ ନିଦ,
ଦିଗ ହରା ସେ ସପନ ଅସାର ଜୀବନ,
ସୀମାହୀନ ସବୁ ଶୂନ୍ୟ,
ଶ୍ରୀ ହୀନ କାନନ,
ଅନ୍ତଃ ହୀନ, ସାର ହୀନ,
ଶୂନ୍ୟ ସେ ନନ୍ଦନ..!
ଯନ୍ତ୍ରଣାର ଆର୍ତ୍ତନାଦ ସେ ବଣ ପାହାଡ଼,
ମୂକସାକ୍ଷୀ ଝାଉଁ ବଣ, ଦରଦୀ ପାହାଡ଼,
ଭଙ୍ଗା ମନ ଶୂନ୍ୟ ଆତ୍ମା
ଆଜି ନିରୁଦ୍ଧିଷ୍ଟ,
ତା ସପନ ଚୁନା ଚୁନା,
ନାହିଁ ତାର ସୁଷମା,
ତା ଜୋଛନା ଶୀତଲତା,
ନିସ୍ତବ୍ଦ ସେ ମୂର୍ଚ୍ଛନା,
ନୀରବେ ଶ୍ରୀ ହୀନ ଆଜି,
ନିର୍ଜୀଵ ପାହାଡ଼..!!
ଶୂନ୍ୟ ଏବେ ତରୁ ଲତା,
ତା ବହଳ କୁଂଜ ଲତା,
ଶୂନ୍ୟ ସେଇ ମରୁ ଭୂଇଁ
ଆଉ ଅସରନ୍ତି ବ୍ୟଥା,
ଶୂନ୍ୟ ତାର ଛାୟା ଛବି,
ଶୂନ୍ୟ ଜୀବନର ଗାଥା,
ଶୂନ୍ୟ ସେଇ ବଣ ଭୂଇଁ,
ଶୂନ୍ୟ ବଣ ପାହାଡ଼,
ସେ ପାହାଡ଼ ନିଃସ୍ୱ ଆଜି, ନିହାତି କରୁଣ..!!
