ପାଗଳ
ପାଗଳ
ହୋଇଛି ପାଗଳ ତୋର ପାଇଁ ଜଗା
ଭଲଲାଗେ ନାହିଁ କିଛି
ଦିଶୁଛି ସର୍ବଦା ଚକାନୟନଟି
ଦିଶେ ନାହିଁ ଆଉ କିଛି।
ଜାଗ୍ରତେ ଦିଶୁଛି ମୁଖମଣ୍ଡଳଟି
ଦିଶୁଛିଟି ଶ୍ରୀମନ୍ଦିର,
ଶୟନେ ଚିନ୍ତିତ ନାହିଁ ନିଦ୍ରା ତହିଁ
ଚିନ୍ତାଟି ଚରଣ ତୋର।
ଗୁଞ୍ଜୁଅଛି ହୃଦେ କାଳିଆର ରାବ୍
ନାହିଁ ରାବ୍ ଅନ୍ୟ ତହିଁ,
ସମର୍ପଣ ତରେ ମନ ପ୍ରାଣ ମୋର
ସର୍ବଦା ଚିନ୍ତାରେ ମୁହିଁ।
କହୁଛନ୍ତି ଜନେ ପାଗଳ ପାଗଳ
ବାସ୍ତବେ ପାଗଳ ମୁହିଁ
ନାହିଁ ଚିନ୍ତା ମୋର ଜନଙ୍କ କଥାରୁ
ତହରି ଚିନ୍ତାରେ ମୁହିଁ।
କୁହେ କେଉଁ କଥା ଦୈନିକ ଜୀବନେ
ମୂଲ୍ୟ ଦିଏ ନାହିଁ ତାରେ,
ତବ ଭକ୍ତି ଆଉ ଜନତା କଲ୍ୟାଣ
ଚିନ୍ତା ମୋର ନିରନ୍ତର।
ଜୀବନ ଦେଇଛୁ ସୃଷ୍ଟି କର୍ତ୍ତା ତୁହି
ଅନାଦି ଅନନ୍ତ ତୁହି,
ତବ ଉପଦେଶ ଗୀତା ଜ୍ଞାନ ମୁହିଁ
ରହିଛି ସର୍ବାଙ୍ଗେ ବହି।
ତ୍ୟାଗ କରିଅଛି ଲୋଭ ମାୟା ମୁହିଁ
ଧରି ଅଛି ନାମମନ୍ତ୍ର,
ସ୍ବାର୍ଥ କ୍ରଧ ହିଂସା ଦୂର କରିଅଛି
କରି ଅଛି ରାଷ୍ଟ୍ର ମନ୍ତ୍ର।
ଧର୍ମକର୍ମ ମୁହିଁ ରଖିଛି କର୍ତ୍ତବ୍ୟେ
ହୃଦେ ନିରାକାର ଭକ୍ତି,
ନିରାକାର କୃଷ୍ଣ ନିରାକାର ରାମ
ରଖିଛି ଚରଣେ ଭକ୍ତି।
ପାଗଳ ସାଜିଛି ତୋହରି ଭକ୍ତିରେ
କରୁଛି ତହରି ଚିନ୍ତା,
ବୃଥା ଜଣା ପଡେ ସୁଖ ଓ ବୈଭବ
ଛାଡି ଅଛି ତାର ଚିନ୍ତା।
ଯେଉଁ ଆଡେ ଚାହେଁ ଦିଶେ ଦାରୁବ୍ରହ୍ମ
ଦିଶେଟି ତକାନୟନ,
ଶ୍ରୀମନ୍ଦିର ଦିଶେ ଦିଶେ ନୀଳଚକ୍ର
ଉଡୁ ଥାଏ ଘନଘନ।
ଶୁଭେ ଶଙ୍ଖନାଦ ତାଳ ମୃଦଙ୍ଗର
ନାମ ଜାଗଜଗା ଶୁଭେ,
ଭକ୍ତିର ନାମଟି କାଳିଆ ରତନ
ମୋହର କର୍ଣ୍ଣରେ ଶୁଭେ।
ତହରି ଭକ୍ତିରେ ପାଗଳ ମୁଁ ଆଜି
ପାଗଳ କୁହନ୍ତି ଜନ,
ନାହିଁ ଚିନ୍ତା ମୋର ଜନଙ୍କ କଥାରୁ
ଭକ୍ତିରେ କଟୁ ମୋ ଦିନ।