ପାଗିଳି
ପାଗିଳି
ଭୁଲି ନିଜ ମୋହ ହୋଇ କୋହ ମୋହ
ଚାଲୁଥାଏ ଢ଼ଳି ଢ଼ଳି,
ଥଟ୍ଟା ପରିହାସ କରି ଉପହାସ
ଲୋକେ କୁହନ୍ତି ପାଗିଳି ।
କପାଳ ତା' ମନ୍ଦ ଦେହ ପୂତି ଗନ୍ଧ
ଲୋକେ ଦେଉଥାନ୍ତି ଗାଳି,
ଦୂର୍ ଦୂର୍ କରି ଠେଙ୍ଗା ବାଡ଼ି ଧରି
ଗୋଡ଼ାନ୍ତି ହୋଇକି ମେଳି।
ପିଲାଏ ମିଳିକି ଚିତ୍କାର କରିକି
ଉପରେ ଫିଙ୍ଗନ୍ତି ଧୂଳି ,
ପୁରା ଗାଆଁ ଯାକ କହେ ଦେଖ ଦେଖ
ହେଇ ଆସିଲା ପାଗିଳି।
ମଣିଷ ତ ସିଏ ପଶୁ ପରି ହାଏ
କିଛି କହି ପାରେ ନାହିଁ,
କେଜାଣି କାହିଁକି ସଭିଙ୍କୁ ଚାହିଁକି
କାନ୍ଦେ କଇଁ କଇଁ ହୋଇ।
ଲୁହ ଗଡ଼ାଉଛି କିଏସେ ବୁଝୁଛି
ତା'ର ହୃଦ ତଳ ବ୍ୟଥା,
କି' ଭାବେ ପାଗିଳି ଥିଲା ଅଲିଅଳି
କେ' ଶୁଣିଛି ତା'ର ଗାଥା।
କାହା ଘର ବୋହୂ କେ' ଅବା ନକହୁ
ଜାଣି ଚୁପ୍ ରହିଥାଏ,
ସବୁ କଷ୍ଟ ସହି ଆଖି ଲୁହ ପିଇ
ପାଗିଳି ଅନେଇ ଥାଏ।
ଦିନେ ଯାହାପାଇଁ ସବୁକିଛି ଦେଇ
ସମର୍ପିଲା ମନ ପ୍ରାଣ,
ଦେଲା ଘଉଡ଼ାଇ ପାଗିଳି ସଜେଇ
ନଷ୍ଟ କରି ତା' ଜୀବନ।
ଶାଶୁ ଓ ଶଶୁର ସୁଖର ସଂସାର
ପତି, ପିଲା ଦୁଇ ନେଇ,
ଯୁବା ବୟସରେ ଥିଲା ଅୟସରେ
ଲକ୍ଷ୍ମୀପ୍ରିୟା ନାମ ବହି।
ବୟସ ଖସିଲା ପତି ନ, ଚାହିଁଲା
ଆଉ ଏକ ବିଭା ହୋଇ,
ଶାଶୁ ଓ ଶଶୁର କଲେ ମାରଧର
ପିଲାଏ ଦେଲେ ଗୋଡ଼େଇ।
ବରଷା ରାତିରେ ଘୋର ଅନ୍ଧକାରେ
କା'ପୁରୁଷ ହାତେ ପଡ଼ି,
ସେଇ ଅଭାଗିନୀ ହେଲା ଖିନ୍ ଭିନ୍
ଯନ୍ତ୍ରଣାରେ ଗଲା ଗଡ଼ି ।
ଦୁଃଖ, ପ୍ରତାରଣା ଅସହ୍ୟ ଯନ୍ତ୍ରଣା
ସହି ସହି ମାଡ଼ ଗାଳି ,
ସବୁ ଶୁଣି ଶୁଣି ସହି କଟୁବାଣୀ
ନାମ ତା' ଆଜି ପାଗିଳି ।
ଚିତ୍କାର କରେନି ମାରି ଗୋଡ଼ାଏନି
କହଇ ଏତିକି ଖାଲି,
ନକର ହତାଶ କର ହେ! ବିଶ୍ୱାସ
ପାଗିଳି ମଣିଷ ବୋଲି ।
