ପାଏ ନାହିଁ ଖୋଜି
ପାଏ ନାହିଁ ଖୋଜି
ଲେଖିବସେ ଯେବେ କବିତାକୁ ଶବ୍ଦେ
ସ୍ବର ତୁମ ଗୁଞ୍ଜି ଉଠେ
ଜାଣେନି କାହିଁକି ଦେଖେ ମୁଁ ଜହ୍ନକୁ
ନିରିଖେଇ ନିତି ଏତେ ।
ଭାବେ ମୋ ନିକଟେ ରହିଛି ସତରେ
ଅପହଞ୍ଚ ରୂପା ଜହ୍ନ
କହେ ସ୍ମିତହସି ଦିଶୁଛି କି ନାହିଁ
ଉଜ୍ଜ୍ବଳ ଦେଖ ମୋ ମୁହଁ ।
ନିରେଖି ଚାହିଁଲେ ଦିଶେ ରୂପା ଜହ୍ନ
ଅଧିକ ତୋଫା ସୁନ୍ଦର
ଥିଲେ ଅନ୍ଧକାର ଥାଉ ଚଉପାଶ
ଭ୍ରୁକ୍ଷେପ ନ ଥାଏ ତାର ।
ଭାବି ତୁମ କଥା ନ ହେଉ ମୋ ମନ
ଯନ୍ତ୍ରଣାରେ ଛଟପଟ
ଉପୁଜେ ସନ୍ଦେହ ଉଦାସକୁ ତୁମେ
ରଖ କିବା ସଂଗୋପିତ ।
ଖୋଜିପାଏ ନାହିଁ ଶବ୍ଦ ମୋ କବିତା
କରେ ସତ୍ଯ ଅନ୍ବେଷଣ
ଭାବେ ଅନ୍ତଃମନେ ଯୋଗ୍ଯତା ମୋ କାହିଁ
ବୁଝିବାକୁ ଜହ୍ନ ମନ ।

