ପାଦ
ପାଦ
ଆଦରରେ କୋଳେଇଲା ମୋତେ ମାଟିଟା ଯେବେଠୁ,
କଅଁଳିଆ ଦେହଟା ମୋ';
ଝଡ଼ଝଞ୍ଜା, ଠୋକରର ଶକ୍ତ ଶିଳାସବୁକୁ -
ଝୁଣ୍ଟିଝୁଣ୍ଟି କ୍ଷତାକ୍ତ, ରକ୍ତାକ୍ତ ହେବା ପରେପରେ...
ବୋଧହୁଏ ଚାଲିବାର ଦିଗଟେ ମୁଁ ବାଛିନେଲି ଠିକ୍ ସେବେଠୁ ।।
ସମୟର ତାଳେତାଳେ ଚାଲିଛି ଯେବେଠୁ,
ଗୋଲାପିଆ ଦେହଟା ମୋ';
ଅପମାନ, ଅପବାଦର ଶକ୍ତ କଣ୍ଟାସବୁକୁ -
ଚକଟି ଚକଟି ସିକ୍ତ ରିକ୍ତ ହେବା ପରେପରେ...
ବୋଧହୁଏ ଜୀଇଁବାର ସଡ଼କଟେ ମୁଁ ଧରିନେଲି ଠିକ୍ ସେବେଠୁ ।।
ସଡ଼କର ଏପାଖୁ ସେପାଖ ଯାଇଛି ଯେବେଠୁ,
ଉଡ଼ାଣିଆଁ ଦେହଟା ମୋ';
ବିଲହୁଡା, ପାହାଡ଼, ପ୍ରାନ୍ତର, ପ୍ରାସାଦ ସବୁକୁ -
ଟପିଟପି ଦିଗନ୍ତ-ସୀମାନ୍ତ ଯିବା ପରେପରେ....
ବୋଧହୁଏ ଧାଇଁବାର ବେଗଟା ମୁଁ ବୁଝିନେଲି ଠିକ୍ ସେବେଠୁ ।।
କେବେ ଆଗକୁ ତ' କେବେ ପଛକୁ...
ପୁଣି କେବେ ରହିଯାଏ ଯୋଉଠି ସେଇଠି -
ଅନ୍ତରରେ ନେଇ ଏକ ଅବ୍ୟକ୍ତ ପ୍ରତିବାଦ, ମୁଁ "ପାଦ" ।।