ପାଦ ଧୂଳି
ପାଦ ଧୂଳି
ଭାଗ୍ଯରେ ଥିଲେ ତ ଗୁରୁଜନଙ୍କର
ପାଦ ଧୂଳି ମିଳିଥାଏ
ସେଇ ପାଦ ଧୂଳି କେତେ ଶୁଭାଶିଷ
ପାଏ ଯିଏ ଜାଣେ ସିଏ ।
ଛୋଟ ବେଳେ ସାଧୁ ସନ୍ନ୍ୟାସୀଙ୍କ ପାଦ
ଗାଆଁ ଦାଣ୍ଡେ ପଡିଥାଏ
ମୁଣ୍ଡିଆ ମାରିଣ ପାଦ ଧୂଳି ପାଇଁ
ଏଇ ପାଦ ଧାଇଁ ଯାଏ ।
ହାତୀର ପୃଷ୍ଠରେ ମାହୁନ୍ତ ବସିଣ
ଗାଆଁ ଦାଣ୍ଡେ ଯାଉଥାଏ
ହାତୀ ପାଦ ଧୂଳି ନେଇ ଆମ ମନ
ଖୁସିରେ ଯେ ଝୁମିଯାଏ ।
ଦ୍ବାପର ଯୁଗରେ ଶରୀର ପୀଡାରେ
ଶ୍ରୀକୃଷ୍ଣ ଅସୁସ୍ଥ ହେଲେ
ପାଦ ରଜ ଧୂଳି ଲୋଡା ହେଲା ଯେବେ
ଅଷ୍ଟପତ୍ନୀ ନାସ୍ତି କଲେ ।
ଏଇ ଖବରଟି ଗୋପପୁରେ ଯାଇ
ନାରଦ ପ୍ରଚାର କଲେ
ପାଦ ରଜ ଧୂଳି ଗୋପୀମାନେ ଦେଇ
ମଥୁରେ ପ୍ରବେଶ ହେଲେ ।
ପାଦ ଧୂଳିରେ ଯେ ସେନେହ ମମତା
କେତେ ଲୁଚି ରହି ଥାଏ
କେତେ ସେ ପବିତ୍ର ଆରୋଗ୍ଯ ପ୍ରତୀକ
ଏଥିରୁ ତ ଜଣା ଯାଏ ।
ପାଦ ଧୂଳି ଟିକେ ମଥାରେ ଲାଗିଲେ
କେତେ ଶାନ୍ତି ଲାଗି ଥାଏ
ଯିଏ ପାଦ ଧୂଳି ମଥାରେ ଲଗାଏ
ସେଇ ଭାବ ଜାଣେ ସିଏ ।
ପାଦ ଧୂଳି ଯିଏ ଦେଇ ଥାଏ ସିଏ
ମହାନ ବୋଲାଇ ଥାଏ
ଯିଏ ପାଦ ଧୂଳି ନେଇ ମାଥେ ବୋଳେ
ନା ସେ ଛୋଟ ହେଇ ଯାଏ ।
ପାଦଧୂଳି ଅଟେ ଆମର ଚଳଣି
ଆମ ପରମ୍ପରା ଇଏ
ଆମରି ସଂସ୍କୃତି ଆମର ସଂସ୍କାର
ତା ଦେହରେ ରହି ଥାଏ ।
ପାଦଧୂଳି ଯାର ମଥାରେଟି ଥାଏ
ରିଷ୍ଟ ତାର କଟି ଯାଏ
ପରାଜୟ ସ୍ଥାନେ ବିଜୟର ଧ୍ବଜା
ଟୀକା ପିନ୍ଧି ଥାଏ ସିଏ ।
ଏବେ ଏ ଚଳିଣି ଫିକା ଫିକା ଲାଗେ
ଧୀରେ ଦୂରେଇଣ ଯାଏ
ପାଦଧୂଳି ନେବା ମଥାରେ ବୋଳିବା
ଭୁଲ ନାହିଁ ଆଉ କିଏ ?
