STORYMIRROR

Anjana Naik,Anju..Deogarh

Abstract Action Classics

4  

Anjana Naik,Anju..Deogarh

Abstract Action Classics

ଓଠ ତଳ ହସ

ଓଠ ତଳ ହସ

2 mins
252

ହସ...ସନ୍ଦେହ ଘେରରେ... 

ହସ... ମାଗଣା ମିଳୁଥିଲା କେବେ

ଆଜି ତିରସ୍କୃତ, ଚରିତ୍ରହୀନ ସେ

ବସ୍ତିର ବାଙ୍କ ଅନ୍ଧାର ଗଳିରେ ।।


ହସ...ଦିନେ ଛୁଇଁ ଥିଲା ମନ 

ଫଟା ଟାୟାରକୁ ବାଡ଼ିରେ ପିଟି ପିଟି

ଗଡ଼େଇ ଶିଖୁଥିବା ଲଙ୍ଗଳା ପିଲାଟିର 

ଧୂଳି ଧୂସର ପୁଙ୍ଗୁଳା ଦେହରେ  

ଅଲରା ବାଳରେ ଲୁଚିଥିବା 

ପୁରିଲା ପୁରିଲା ଢଳଢ଼ଳ/ 

ଆଖି ଯୋଡ଼ିକରେ ।। 


ହସ...ଫୁଟିଥିଲା ଏନ୍ତୁଡ଼ି ଶାଳରେ

ମାତୃତ୍ବରେ ପରିପୂର୍ଣତାର ଅସରନ୍ତି 

ସ୍ବପ୍ନିଳ ବେଳାରେ ଷଠି ଘରେ

ହଜିଥିଲା ସଦ୍ୟ କଷ୍ଟର ଯନ୍ତ୍ରଣା

କଅଁଳା ଶିଶୁଟିର ଭୂଇଁ ସ୍ପର୍ଶର

ପ୍ରଥମ କୁଆଁ କୁଆଁ ଡାକରେ ।।


ହସ.. ବେ-ଲଗାମ୍ ଝରୁଥିଲା

କଞ୍ଚା ବୟସର ଓଠରେ 

ପାପୁଲି ଘୋଡ଼େଇ ଭାଙ୍ଗି ଯାଇଥିବା 

ଛାମୁ ଦାନ୍ତର ଫାଙ୍କରେ ।।


ହସ.. ହସେ ଯୌବନରେ

ଷୋହଳଟି ଫଗୁଣ ଯେବେ 

ନେସି ହୋଇଯାଏ କୁଆଁରୀ ଦେହରେ

ଫୁଟି ଯାଏ ସଜ ଫୁଲ ମନଗହିରୀରେ ।।


ହସ....ଖୋଲିଥିଲା ମନର କବାଟ

ବିନା ଅନୁମତିରେ, ବିନା ବଇନାରେ 

କେବଳ ସମୟ ରହିଛି ସାଖି 

ନିଆରା ସେ ଅମାନିଆ ଭାବର 

ଗୋଟେ ଅଚି଼ହ୍ନା ହୃଦୟର 

ମୃଦୁ ଶୀତଳ ସ୍ପର୍ଶର ସିହରଣରେ ।।


ହସ.. ଖେଳିଥିଲା ଚ଼ିଠି ପଢ଼ିବାରେ

ଅପାଠୋଇ ବହୁଟିଏ 

ଯେବେ ଡାକବାଲା ଠାରୁ

ଚ଼ିଠିଟିଏ ନେଇ ତନ୍ନ ତନ୍ନ କରି 

ଏପାଖ ସେପାଖ ଦେଖି ଛାତିରେ ଲଗାଇ

ସରମିଯାଏ ଓଢ଼ଣା ତଳରେ ।।


ହସ.. ଅପାସୋରା ସ୍ନେହର 

ସାମିଆନା ତଳେ,ନିଜ ମନ ବଳେ

ଭାରଦେଇ ଠିଆ ହୁଏ ଯେବେ

ସବୁ ସମ୍ପର୍କକୁ ଦ୍ବାହିଦେଇ 

ଥରିଥରି ବଳ କଷେ ଅତି ଆପଣାର 

ବାର୍ଦ୍ଧକ୍ୟ ସାଥି ବଙ୍କୁଲି ବାଡ଼ିରେ ।।


ହସ..ଖିଲିଖିଲି ହସେ

ଟଳମଳ ଖଣ୍ଡି ଉଡ଼ା ବେଳେ

ଠୁକୁଠୁକୁ ପାଦରେ 

ରୁମ୍ ଝୁମ୍ ଶବ୍ଦାୟିତ 

ପିଲାଟିର କଟି ମେଖଳାରେ ।।


ହସ...ନଈ ତୁଠରେ ନିଇତି ବୁଡ଼ ମାରେ

ଜହ୍ନି ଚ଼ୋପା ଘସା ପିଠିରେ

ତ ଅଳତା ଲଗା ଫଟା ଗୋଇଠିରେ 

ହଳଦୀ ବଟୁଆର ଗନ୍ଧକ କର୍ପୁର ମାଖି 

ନିହାତି ବେସରମ ହୋଇଯାଏ କେବେ

ଷୋଡ଼ଶୀର କାଞ୍ଚଲା ବନ୍ଧାରେ ।।


ହସ.. ଲାଖିରହେ ସାଥିରେ

ଚ଼ାନ୍ଦିନୀ ରାତିରେ କୁଆଁରୀ ଜୋଚ୍ଛନା 

ଗଙ୍ଗଶିଉଳିର ମଧୁର ମୂର୍ଚ୍ଛନା ଯୁକ୍ତ 

ଶରଦ କାକରର ଭୃକୁଞ୍ଚିତ

ମଲ୍ଲି ଗଜରା ଖୋସା କବରିରେ ।।


ହସ...ଫିକ୍ କିନା ଝରିଯାଏ 

କିଛି ରେଜା ପଇସାରେ

ଭରିଯାଏ ଆନନ୍ଦ ଭିକ୍ଷା ଥାଳରେ 

ବାବୁ ପାଇଁ,ଅଜସ୍ର ଆଶିର୍ବାଦର ବର୍ଷା

ଭିକ୍ଷୁକର ଗୋଟେ ସଲାମରେ ।।


ହସ... ହଜିଯାଇଥିଲା ଗହଳି ଭିତରେ

ଆତ୍ମିୟଜନଙ୍କ ମେଳରେ 

ଅନ୍ତିମ ବେଳାରେ ।।


ହସ....ପ୍ରେମର ପରିଭାଷା ବୋଧହୁଏ 

ଭୁଲି ଗଲାଣି କେଉଁ ଦିନରୁ 

କେବଳ ସମ୍ପର୍କକୁ ବଞ୍ଚାଇବା ପାଇଁ 

ମୁରୁକି ଟିକେ ହସେ ବେଳ ଅବେଳରେ ।। 


ହସ ...ଏବେ ବିନ୍ଦାସ୍ ହସିବାକୁ ମନା

ସମୟ ସହିତ ସାଲିସ୍ କରି ସେ

ନିଆଁରେ ଜଳୁଛି ଦାଉଦାଉ 

ତଥାପି ତା ଚରିତ୍ରରେ ଲାଗେ ଦାଗ

ବଞ୍ଚିଛି କେବଳ ସନ୍ଦେହ ଘେରରେ ।।


ହସ.....ତାର ଭବିଷ୍ୟତ ହରେଇ ବସିଛି  

ପ୍ରତ୍ୟକ ସମୟରେ ପ୍ରତ୍ୟହ ମିଳିଯାଏ 

ବେହିସାବ ବିନା ବଇନାରେ 

ଧୋକା ଆଜି ବସ୍ତା ବସ୍ତା, 

ଲୁହ ବି ଏଠି ହୋଇଛି ଶସ୍ତା ।।


ହସ... ହସୁଛି ବର୍ତ୍ତମାନ ଏକାନ୍ତରେ

କୃତ୍ରିମ ଉପର ଠାଉରିଆ 

କେବଳ ଅଭିଶପ୍ତ ଜୀବନ ନେଇ 

କର୍ତ୍ତବ୍ୟର ଦାୟରେ ସାଲିସ କରି

ପରିତ୍ୟକ୍ତ ବନ୍ଦ କୋଠରୀ ଭିତରେ ।।


Rate this content
Log in

Similar oriya poem from Abstract